ମଦ ବ୍ୟବସାୟୀଙ୍କୁ ସରକାରଙ୍କ ପ୍ରୋତ୍ସାହନ: ଆନ୍ଦୋଳନକୁ ଓହ୍ଲାଇଲା ବେଗୁନିଆ ଜନକଲ୍ୟାଣ ପ୍ରତିଷ୍ଠାନ

ବେଗୁନିଆ, ୧୫।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଏଠାରେ ଦେଶୀ ରନ୍ଧା ମଦ ପ୍ରସ୍ତୁତ ହେଉଛି। ଏଥିଯୋଗୁ ଗାଁଦାଣ୍ଡରେ ମଦ ବ୍ୟବସାୟୀମାନେ ଖୁଲମଖୁଲା ମଦ ବିକ୍ରି କରୁଛନ୍ତି। ଏହାକୁ ପୁରୁଷ ଏବଂ ଯୁବପିଢ଼ିମାନେ ପିଇବା ଦ୍ୱାରା ପାରିବାରିକ ଏବଂ ସାମିଜିକ ବିଶୃଙ୍ଖଳା ଘଟିଚାଲିଛି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ‘ମଦ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ’ ଲୋକଙ୍କୁ ନିରାଶ କରିଛି। ଏହାକୁ ପ୍ରତିବାଦ କରି ଗୁରୁବାର ବେଗୁନିଆ ଜନକଲ୍ୟାଣ ପ୍ରତିଷ୍ଠାନ ଆନ୍ଦୋଳନକୁ ଓହ୍ଲାଇଛି। ୭୩ତମ ସ୍ବାଧୀନତା ଦିବସ ଅବସରରେ ବେଗୁନିଆ ବଜାରରେ ମଦ ବିରୋଧୀ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ସେମାନେ ବାହାରିଥିଲେ। ପରେ ଥାନା ସମ୍ମୁଖରେ ପ୍ରାୟ ୧ ଘଣ୍ଟା ଧରି ଅଞ୍ଚଳର ବହୁ ମହିଳା ଓ ପୁରୁଷ ଧାରଣାରେ ବସିଥିଲେ।