ମଦ ବିରୋଧରେ ଗର୍ଜିଲେ ମହିଳା

ପରଜଙ୍ଗ, ୨୧।୧୦(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବସୁଲେଇ ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ରଣହୁଙ୍କାର ଦେଇଛନ୍ତି ମହିଳା ଗୋଷ୍ଠୀ। ରବିବାର ଏକ ବିଶାଳ ଶୋଭାଯାତ୍ରାରେ ୭୦ ସ୍ବୟଂ ସହାୟକ ଗୋଷ୍ଠୀର ୫୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ମଦ ବିରୋଧୀ ସ୍ଲୋଗାନ୍‌ ଦେଇ ଜନସଚେତନତା ସୃଷ୍ଟି କରିଥିଲେ।
ଗୋଷ୍ଠୀ ସଦସ୍ୟଙ୍କ କହିବା କଥା, ରାଜସ୍ବ ବୃଦ୍ଧି ଲୋଭରେ ମଦ ବିକ୍ରିକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି। ସବୁ ଜାଗାରେ ଅତି ସହଜରେ ମଦ ମିଳିଯାଉଛି। ମଦ ପାଇଁ ସାମାଜିକ ବ୍ୟବସ୍ଥା ଭାଙ୍ଗିଯିବାକୁ ବସିଛି। ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି। ସଡ଼କ ଦୁର୍ଘଟଣା, ହତ୍ୟା, ଲୁଣ୍ଠନ, ବଳାତ୍କାର ଭଳି ଆପରାଧିକ କାର୍ଯ୍ୟ ପଛରେ ପ୍ରମୁଖ କାରଣ ନିଶାସେବନ। ଏହାର ପ୍ରତିବାଦରେ ଏପରି ଅଭିଯାନ ଆରମ୍ଭ କରାଯାଇଛି।
ମହାସଂଘର ସଭାନେତ୍ରୀ ରେବତୀ ଜେନାଙ୍କ ନେତୃତ୍ୱରେ ଗୋଷ୍ଠୀ ସଦସ୍ୟମାନେ ନାରାବାଜି ଦେଇ ପଞ୍ଚାୟତର ୧୧ ଗୋଟି ଓ୍ବାର୍ଡରେ ଜନସଚେତନତା ସୃଷ୍ଟି କରିଥିଲେ। ମଦ ନ ହଟିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପଟେ ଏସ୍‌ଏଚ୍‌ଜିର ଏପରି ପଦକ୍ଷେପକୁ ସମର୍ଥନ ଜଣାଇଛନ୍ତି ସରପଞ୍ଚ ସଞ୍ଜୟ କୁମାର ରାଉତ। ଏହି କାର୍ଯ୍ୟରେ ସେ ନିଶ୍ଚିତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।