ମଦ ବିକ, ପୁରସ୍କାର ନିଅ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟରେ ମଦ ବିକ୍ରିକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ହେଉଛି। ବିଷାକ୍ତ ମଦ ପିଇ ବହୁ ଜୀବନ ଚାଲି ଯାଉଛି। ଏହାକୁ ବିରୋଧ କରି ମହିଳାମାନେ ରାସ୍ତାକୁ ଓହ୍ଲାଉଛନ୍ତି। ମଦ ବିକ୍ରି ପ୍ରତିବାଦରେ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ଆନ୍ଦୋଳନ କରୁଛନ୍ତିି। ଏପରି ସ୍ଥଳେ ରାଜ୍ୟ ସରକାର ଅବକାରୀ ରାଜସ୍ବ ବୃଦ୍ଧି କରିବାକୁ ପୁରସ୍କାର ବ୍ୟବସ୍ଥା କରିବାକୁ ବିଧାନସଭା ଅବକାରୀ ଷ୍ଟାଣ୍ଡିଂ କମଟି-୧୦ ସୁପାରିସ କରିଛି। ଅବକାରୀ ବିଭାଗ କମିଶନର ତଥା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟସ୍ତରୀୟ ପୁରସ୍କାର କମିଟିର ପୁନର୍ଗଠନ କରିବାକୁ କମିଟି ସୁପାରିସ କରିଛି । ୧୨ ସୁପାରିସ ମଧ୍ୟରୁ ୪ ନମ୍ବର ସୁପାରିସରେ କମିଟି ଧାର୍ଯ୍ୟ କୋଟାରୁ ଅଧିକ ବ୍ୟବସାୟ କରିଥିବା ବ୍ୟବସାୟୀଙ୍କୁ ପୁରସ୍କୃତ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଥିସହିତ ରାଜସ୍ବ ବୃଦ୍ଧିରେ ସହାୟକ ହେଉଥିବା ସରକାରୀ ଅଧିକାରୀ, ବେଆଇନ ମଦ ବିକ୍ରି ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ପୁରସ୍କୃତ କରିବାକୁ କମିଟି ସୁପାରିସ କରିଛି। କେନ୍ଦ୍ର ସରକାରଙ୍କ ପୁରସ୍କାର ଯୋଜନା ଅନୁଯାୟୀ କମିଟି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦେବାକୁ କୁହାଯାଇଛି। ଗତ ୧୦ ବର୍ଷରେ ଅବକାରୀ ରାଜସ୍ବ ଆଦାୟରୁ ୫ ଗୁଣ ଅଧିକ ରାଜସ୍ବ ପାଇଛନ୍ତି ରାଜ୍ୟ ସରକାର । ଏହାକୁ ପୁଣି ବଢାଇବା ପାଇଁ କମିଟି ପ୍ରସ୍ତାବ ଦେବାକୁ ନେଇ ପୁଣି ବିବାଦ ଆରମ୍ଭ ହୋଇଛି। ଏଥିସହିତ ପ୍ରତି ତହସିଲରେ ଗୋଟିଏ ଏବଂ ସହରାଞ୍ଚଳରେ ଦୁଇଟି ଆଦର୍ଶ ଅବକାରୀ ଷ୍ଟେଶନ ସ୍ଥାପନ କରିବାକୁ କମିଟି ପରାମର୍ଶ ଦେଇଛି। ଅବକାରୀ ବିଭାଗରେ ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ର଼୍ୟାଙ୍କ ଦ୍ୱିତୀୟ ଶ୍ରେଣୀ ପଦବୀ ସୃଷ୍ଟି କରିବା ଏବଂ ଖାଲି ପଦବୀ ପୂରଣ କରିବା ନେଇ ମଧ୍ୟ କମିଟି ସୁପାରିସ କରିଛି। ସମସ୍ତ ମଦ ଦୋକାନ ପଞ୍ଜୀକୃତ ହେବା ସହ ସରକାରୀ ଓ୍ବେବ୍‌ସାଇଟ୍‌ରେ ସେମାନଙ୍କ ନାମ ଉଲ୍ଲେଖ କରାଯିବା ଦରକାର। ଢାବା ଓ ହୋଟେଲଗୁଡିକରେ ମଦ ବିକ୍ରି ଅଧିକ ହେଉଛି। ସେଥିରୁ ଅଧିକାଂଶ ସ୍ଥାନରେ ବେଆଇନ ଭାବେ ଚାଲୁଛି। କଳାବଜାର ରୋକିବା ପାଇଁ ଲାଇସେନ୍ସ ଦେବା ଏବଂ ଏଥିପାଇଁ ଅଧିକ ସ୍କ୍ବାଡ ଗଠନ କରିବାକୁ କମିଟି ପରାମର୍ଶ ଦେଇଛି।