ମଦଭାଟି ସ୍ଥାନାନ୍ତର ନେଇ କୃଷକ ନେତାଙ୍କ ଅନଶନ: ପାଣି ପିଆଇ ଅନଶନ ଭାଙ୍ଗିଲେ ଉପଜିଲାପାଳ

ବଡ଼ଗାଁ,୧।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଫିସ ସମ୍ମୁଖରେ ମଦଭାଟି ସ୍ଥାନାନ୍ତର ନେଇ ଗତ ୨୫ ତାରିଖରୁ କୃଷକ ନେତା ରବୀନ୍ଦ୍ର ପଟେଲ ଆମରଣ ଅନଶନରେ ବସିଥିଲେ। ଶନିବାର ପୂର୍ବାହ୍ନରେ ପଟେଲ ଅନଶନରୁ ଓହରିଛନ୍ତି। ମାର୍ଚ୍ଚ ମାସ ପରେ ମଦ ଭାଟି ସ୍ଥାନାନ୍ତର ନେଇ ଉପଜିଲାପାଳ ଅଭିମନ୍ୟୁ ବେହେରା ଲିଖତ ପ୍ରତିଶ୍ରୁତି ଦେଲା ପରେ ସେ ଅନଶନ ଭାଙ୍ଗିଛନ୍ତି। ମଧ୍ୟାହ୍ନରେ ଉପଜିଲାପାଳ ବେହେରା ଘଟଣାସ୍ଥଳରେ ପହଞ୍ଚି ପଟେଲଙ୍କ ସହ ଆଲୋଚନା କରିଥିଲେ। ସେଠାରେ ପଟେଲ ଅବକାରୀ ବିଭାଗର ନୀରବଦ୍ରଷ୍ଟାକୁ ସମାଲୋଚନା କରିଥିଲେ। ପରେ ଉପଜିଲାପାଳ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡିଓ କ୍ଷମାନିଧି ଭୋଇ, ଜିଲା ପରିଷଦ ସଭ୍ୟା ସ୍ନେହଲତା ବେଜି ପ୍ରମୁଖଙ୍କ ଉପସ୍ଥିତିରେ ପ୍ରତିଶ୍ରୁତି ଦେବା ସହ ଅନଶନସ୍ଥଳକୁ ଆସି ପଟେଲଙ୍କୁ ପାଣି ପିଆଇ ତାଙ୍କ ଅନଶନ ଭାଙ୍ଗିଛନ୍ତି।