ମତାନ୍ତର ଭୁଲି ଏକତାସୂତ୍ରରେ ବାନ୍ଧି ହୁଅ: ନିରଞ୍ଜନ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ତୃଣମୂଳସ୍ତରରେ କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଦଳର ୩୩ ସାଙ୍ଗଠନିକ ଜିଲାରୁ କ୍ୟାଡର ସୃଷ୍ଟି କରିବା ପାଇଁ କଂଗ୍ରେସ ଭବନଠାରେ ଦୁଇଦିନିଆ ଚୟନ ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ଏହି ଉପଲକ୍ଷେ ନିଖିଳ ଭାରତ କଂଗ୍ରେସ ପ୍ରଶିକ୍ଷଣ ଇନଚାର୍ଜ ସଚିନ୍‌ ରାଓ ଓଡିଶା ଗସ୍ତରେ ଆସି ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଦୁଇଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ଦେଇଛନ୍ତି। ଏହି ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ବିଭିନ୍ନ ଜିଲାରୁ ଆସିଥିବା ସକ୍ରିୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କଲେ କଂଗ୍ରେସ ସୁଦୃଢ଼ ହୋଇପାରିବ। ମହାତ୍ମା ଗାନ୍ଧୀଙ୍କ ନୀତି, ଆଦର୍ଶକୁ ପାଥେୟ କରି ଆମେ ସମସ୍ତେ ମତାନ୍ତରକୁ ଭୁଲି ଏକତା ସୂତ୍ରରେ ବାନ୍ଧିହୋଇ କାର୍ଯ୍ୟ କରିବା ଆବଶ୍ୟକ। ସାମ୍ପ୍ରତିକ ପରିସ୍ଥିତିରେ ଦେଶରେ ଘଟୁଥିବା ଘଟଣାବଳୀରୁ ଲୋକମାନେ ଯେଭଳି ପ୍ରକୃତ ସତ୍ୟ ଉପଲବ୍ଧି କରିପାରିବେ ସେ ସମ୍ପର୍କରେ ସମସ୍ତ କଂଗ୍ରେସ କର୍ମୀ ଲୋକମାନଙ୍କୁ ଅବଗତ କରାଇବାକୁ ସେ କହିଛନ୍ତି। ସଚିନ ରାଓ କହିଛନ୍ତି ଯେ, ପ୍ରଶିକ୍ଷଣ ମାଧ୍ୟମରେ ସମସ୍ତେ କାର୍ଯ୍ୟ କରିବା ଦରକାର। ଏହାଦ୍ୱାରା କାମ କରିବା ପାଇଁ ପ୍ରେରଣା ମିଳିପାରିବ। ଏହାକୁ ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଗୁରୁତ୍ୱ ପ୍ରଦାନ କରିଛି। ଏହି ଅବସରରେ ରାଓ ବିଭିନ୍ନ ଜିଲାରୁ ଆସିଥିବା ସକ୍ରିୟ ନେତୃବୃନ୍ଦଙ୍କ ସହ ଜଣ ଜଣ କରି ସଙ୍ଗଠନ ବିଷୟରେ ଆଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି। ଏହି ବୈଠକକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଶିକ୍ଷଣ ଇନ୍‌ଚାର୍ଜ ଶୁଭେନ୍ଦୁ ମହାନ୍ତି ପରିଚାଳନା କରିଥିଲେ।