ମତଦାନରେ ନିଜକୁ ସାମିଲ କଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୨୧।୧୦: ମହାରାଷ୍ଟ୍ର ଓ ହରିୟାଣାରେ ସୋମବାର ବିଧାନସଭା ନିର୍ବାଚନ ହୋଇଥିବା ବେଳେ ଏହାର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏହାକୁ ନେଇ ଦଳୀୟ ପ୍ରାର୍ଥିମାନେ ଯେତିକି ଉତ୍ସାହିତ ଅଛନ୍ତି ତା’ଠାରୁ ଅଧିକ ଉତ୍ସାହ ଦେଖିବାକୁ ମିଳିଛି ଭୋଟରଙ୍କ ନିକଟରେ। ମହାରାଷ୍ଟ୍ରର ବିଭିନ୍ନ ବୁଥ୍‌ରେ ବଲିଉଡ୍‌ ସେଲିବ୍ରିଟିମାନେ ଆସି ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ଏମାନେ ଏତେ ବିଜି ସିଡ୍ୟୁଲ ମଧ୍ୟରୁ ସମୟ କାଢି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଆସିଛନ୍ତି ଭାବିଲେ ଖୁସି ଲାଗେ। କାରଣ ମତଦାନ ହେଉଛି ଆମ ଅଧିକାର ଏଦିଗରେ ଆମେ ସମସ୍ତେ ସଚେତନ ହେବା ଜରୁରୀ। ତେବେ ସୋମବାର ହୋଇଥିବା ଭୋଟ ଗ୍ରହଣରେ ବଲିଉଡ୍‌ ନାୟିକା ମାଧୁରୀ ଦିକ୍ଷିତ ନେନେ ବାନ୍ଦ୍ରା(ପଶ୍ଚିମ)ର ଏକ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଦେଇଛନ୍ତି। ସେହିପରି ଲାତୁରର ଏକ ଭୋଟ ଗ୍ରହଣ କେନ୍ଦ୍ରରେ ଅଭିନେତା ରିତେଶ ଦେଶମୁଖ, ତାଙ୍କ ସ୍ତ୍ରୀ ଜେନେଲଆ ଡି’ସୌଜା ଓ ତାଙ୍କ ପରିବାର ସଦସ୍ୟ ଭୋଟ ଦେଇଛନ୍ତି। ସୂଚନାଯୋଗ୍ୟ, ରିତେଶଙ୍କ ଭାଇ ଅମିତ ଦେଶମୁଖ ଓ ଧିରଜ ଦେଶମୁଖ କଂଗ୍ରେସର ଦଳୀୟ ଟିକେଟରୁ ଲାତୁରର ୨ଟି ଭିନ୍ନ ଭିନ୍ନ ଆସନରେ ନିର୍ବାଚନ ଲଢୁଛନ୍ତି।

Share