ମଣ୍ଡିରେ ୫ କେଜି ଧାନ କଟ୍‌ନିକୁ ନେଇ ଚାଷୀ ଅସନ୍ତୋଷ

ଚମ୍ପୁଆ,୧୫।୧୨(ଡି.ଏନ.ଏ)-ଚମ୍ପୁଆ ଲ୍ୟାମ୍ପରେ ଗତ ଶୁକ୍ରବାର ଚାଷୀଙ୍କ ସୁବିଧା ନିମନ୍ତେ ମଣ୍ଡି ଖୋଲି ଧାନ କ୍ରୟ କରାଯାଇଥିବା ବେଳେ ଦିନକ ପରେ କୁଇଣ୍ଟାଲ ପିଛା ୫ କେଜି ଧାନ କଟ୍‌ନିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏ ନେଇ ଲ୍ୟାମ୍ପ ଏମ.ଡି ବିଭୂତି ଗିରିଙ୍କୁ ପଚାରିବାରୁ ଚାଷୀ ସରକାରଙ୍କ ଧାର୍ଯ୍ୟ ମାନର ଧାନ ଆଣୁନାହାନ୍ତି। ଫଳରେ ଏଫ୍‌ଏକ୍ୟୁ ଧାନ ମିଳିପାରୁନାହିଁ। ସୂଚନା ଅନୁସାରେ ସରକାର ଚାଷୀଙ୍କ ଠାରୁ ସାଧାରଣ ଧାନ କୁଇଣ୍ଟାଲ ପିଛା ୧୮୧୫ଟଙ୍କା ଓ ସରୁଧାନ ୧୮୩୫ ଟଙ୍କା କୁଇଣ୍ଟାଲ ପିଛା କିଣିବାର ନିଷ୍ପତ୍ତି ନେଇଛନ୍ତି। ଚମ୍ପୁଆ ଲ୍ୟାମ୍ପରେ ପ୍ରଥମ ଦିନରେ ୧୯୮ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ମାତ୍ର ଦ୍ୱିତୀୟ ଦିନରେ ଚାଷୀ ସହଦେବ ମହାନ୍ତ, ଈଶ୍ୱର ଚନ୍ଦ୍ର ନାଏକ, ବନମାଳୀ ପ୍ରଧାନ, ତପନ ମହାନ୍ତ, ବିଶ୍ୱମ୍ବର ନାଏକ, ସୁରେନ୍ଦ୍ର କୁମାର ମହାନ୍ତ, କିଶୋର ଚନ୍ଦ୍ର ପ୍ରଧାନ ପ୍ରମୁଖ ଧାନ ବିକ୍ରି କରିବାକୁ ଲ୍ୟାମ୍ପ ଆସିଥିଲେ। ଆବଶ୍ୟକ ତନଖି ପରେ ଧାନଗୁଡିକୁ କିଣାଯାଇଥିଲେ ମଧ୍ୟ ଶେଷ ସମୟରେ ଧାନ କୁଇଣ୍ଟାଲ ପିଛା ୫ କେଜି ଲେଖାଏ କଟ୍‌ନିହେବାର ଜାଣି ଚାଷୀମାନେ ବିରୋଧ କରିଥିଲେ। ଚାଷୀମାନଙ୍କ କହିବା ଅନୁଯାୟୀ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଧାନ କଟ୍‌ନି କରାହେଲେ କୌଣସି ଅସୁବିଧା ହୁଅନ୍ତା ନାହିଁ। ସବୁ ଚାଷୀଙ୍କ ଧାନ ଗ୍ରେଡ ଫେଲ ହେଉ ନ ଥିବା ଅଭିଯୋଗ କରିଛନ୍ତି।