ମଣ୍ଡିରେ ଅନିୟମିତତା: ଧାନ ବିକ୍ରି ପାଇଁ ଆନ୍ଧ୍ରକୁ ଯାଉଛନ୍ତି ଚାଷୀ

ପାରଳାଖେମୁଣ୍ଡି,୬ା୧(ସ୍ବ.ପ୍ର.) – ଗଜପତି ଜିଲାରେ ଡିସେମ୍ବର ୧୨ରୁ ଧାନମଣ୍ଡି ଖୋଲାଯାଇଥିଲେ ମଧ୍ୟ ବ୍ୟାପକ ଅନିୟମିତତା ଯୋଗୁ ଜିଲାର ଚାଷୀ ଧାନ ବିକ୍ରି ପାଇଁ ଆନ୍ଧ୍ର ଯାଉଥିବା ଦେଖିବାକୁ ମିଳୁଛି। ସରକାରୀ ମୂଲ୍ୟ ଠାରୁ କମ୍‌ ଦରରେ ସେଠାକାର ମିଲର୍‌ଙ୍କୁ ଧାନ ଦେବାକୁ ବାଧ୍ୟ ହେଉଛନ୍ତି। ଏଠାକାର ଚାଷୀ ବିଶେଷକରି ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ୍‌ ଜିଲାର ଚାପରା, ମେଳିଆପୁଟି, ହିରମଣ୍ଡଳ, ପୁରୁଣାପାଟଣା, କଞ୍ଚୁରୁ ଓ ନିବଗାଁ ଆଦି ସ୍ଥାନରେ ଘରୋଇ ମିଲର୍‌ଙ୍କୁ ଧାନ ବିକ୍ରି କରୁଥିବା ଜଣାପଡ଼ିଛି। ଏପରିକି ବିଶାଖାପାଟଣା, ବିଜୟୱାଡ଼ା, କାକିନାଡ଼ା, ରାଜମନ୍ଦ୍ରି ଭଳି ସହରର ଘରୋଇ ମିଲର୍‌ମାନେ ମଧ୍ୟ ଗଜପତି ଜିଲାର ଚାଷୀଙ୍କ ଠାରୁ ଧାନ କ୍ରୟ କରୁଥିବା ଜଣାପଡ଼ିଛି। କିଛି ଦିନ ତଳେ ଗୋଷାଣୀ ବ୍ଲକ୍‌ର ସାତମାଇଲ, କାଶୀନଗର ବ୍ଲକ୍‌ର ହାଡ଼ୁଭାଙ୍ଗି ଆଦିି ଅଞ୍ଚଳର ଅନେକ ଚାଷୀ ସେମାନଙ୍କ ଧାନ ଠିକ୍‌ଭାବେ କ୍ରୟ କରାଯାଉ ନ ଥିବା ଏବଂ ଅଞ୍ଚଳରେ ମିଲର୍‌ମାନଙ୍କ ଜରିଆରେ ଖୋଲାଯାଇଥିବା ମଣ୍ଡି ମଣ୍ଡିରେ ବେନିୟମଭାବେ ୮୦ କିଲୋ ବଦଳରେ ୩ କିଲୋ ଅଧିକ ଧାନ ନେଉଥିବା ଅଭିଯୋଗ କରିଥିଲେ।