ମଣ୍ଡିରୁ ଧାନ ଉଠାଇବା ଦାବି: କୁଟ୍ରୁଛକଠାରେ ଚାଷୀଙ୍କ ରାସ୍ତାରୋକୋ

ଭବାନୀପାଟଣା/କଲମପୁର,୧୩।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ କୁଟ୍ରୁ ପ୍ୟାକ୍ସ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଚାଷୀଙ୍କ ଧାନ ଉଠିପାରୁ ନାହିଁ । ତୁରୁନ୍ତ ମଣ୍ଡିରୁ ଧାନ ଉଠାଇବା ଦାବି କରି ଚାଷୀମାନେ ଗୁରୁବାର ସକାଳୁ ଜୟପାଟଣା-ମୋଟେର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଚାଷୀମାନଙ୍କ ସହିତ ପ୍ୟାକ୍ସ ସମ୍ପାଦକ ପ୍ରଦୀପ କୁମାର ପଣ୍ଡା ଦୀର୍ଘ ସମୟ ଧରି ଆଲୋଚନା କରିଥିବା ବେଳେ ଚାଷୀମାନେ ନିଜ ଜିଦରେ ଅଡିବସିଥିଲେ। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହେବା ଫଳରେ ଯାନବାହନ ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧର ସମ୍ମୁଖିନ ହୋଇଥିଲେ। ଖବର ପାଇ ଧର୍ମଗଡ ସହକାରୀ ଯୋଗାଣ ନିରୀକ୍ଷକ ପ୍ରଫୁଲ ଦାସ ପହଞ୍ଚତ୍ ଚାଷୀମାନଙ୍କୁ ବୁଝାଶୁଝା କରିଥିଲେ। ସମସ୍ୟାର ସମାଧାନ କରିବା ପାଇଁ ସେ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ସୂଚନାମତେ, ବଡକୁଟ୍ରୁ ମଣ୍ଡିରେ ପ୍ରଚୁର ପରିମାଣରେ କଟନି ଛଟନି ଓ ଅଖାବସ୍ତା ଅଭାବ ସାଙ୍ଗକୁ ମଣ୍ଡିରେ ମିଲର୍ସ, ଏଜେଣ୍ଟମାନଙ୍କ ମର୍ଜିରେ ଧାନ କିଣା ଚାଲିଥିବା ଅଭିଯୋଗ ହୋଇଛି। ଏଥିସହ ମଣ୍ଡିରୁ ଧାନ ଉଠାଣରେ ମିଲର୍ସମାନେ ଟାଳଟୁଳ ନିତୀ କରିବା ସହ ଧାନ ଉଠାଣ କରୁ ନ ଥିବା ଓ ମିଲର୍ସମାନଙ୍କ ଦ୍ୱାରା ନିୟୋଜିତ ଏଜେଣ୍ଟମାନେ ଚାଷୀମାନଙ୍କୁ ହଇରାଣ କରୁଥିବା ଯୋଗୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷେ ସ୍ଥାନୀୟ ଏଜେଣ୍ଟଙ୍କୁ ହଟାଇବା ସହିତ କୁଟ୍ରୁ ପ୍ୟାକ୍ସରେ ନିୟୋଜିତ ଥିବା ଏଜେଣ୍ଟ ପବନ ଅଗ୍ରୱାଲଙ୍କୁ ଏହି ପ୍ୟାକ୍ସରୁ ବହିଷ୍କାର କରାଯିବା ପାଇଁ ଚାଷୀମାନେ ହାତରେ ପ୍ଲାକାର୍ଡ ଧରି ମୁଖ୍ୟରାସ୍ତା ଉପରେ ଧାନବସ୍ତା ରଖି ଅବରୋଧ କରିଥିଲେ। ରାସ୍ତାକୋରେ ଚାଷୀମାନଙ୍କ ମଧ୍ୟରେ ଶୁନିଲ ପାଟ୍ଟଯୋଷୀ, ବିଷ୍ଣୁ ପାଟ୍ଟଯୋଷୀ, ତରୁଣ ମାଝି, ବନବିହାରୀ ମାଝି, ଗଣପତି ମାଝି, ଦଶରଥ ନାଗ, ଦିଲୀପ ନାଗ, ଧିରେନ୍ଦ୍ର ମିତ୍ର, ଭାବନୀ ଶଙ୍କର ସାହୁ, ବିମ୍ବାଧର ପାଟ୍ଟଯୋଷୀ ପ୍ରମୁଖ ସମିଲ ଥିଲେ।