ମଣ୍ଡିରୁ ଉଠୁନି ଧାନ, ମିଲର୍ସଙ୍କୁ ଅନୁକମ୍ପା

ବରଗଡ଼ ଅଫିସ୍‌,୨୮।୧୨
ବରଗଡ଼ ଜିଲାରେ ଧାନ କିଣାବିକା ଅନିୟମିତତା ସାଧାରଣରେ ପରିଣତ ହୋଇଛି। ଧାନର ଅଭାବୀ ବିକ୍ରି, ମଲର୍ସଙ୍କ ମର୍ଜିରେ ଧାନକିଣା, ମଣ୍ଡିରେ କଟନୀଛଟନୀ ଭଳି ଅଭିଯୋଗ ନିତିଦିନିଆ ଘଟଣା ହୋଇପଡ଼ିଛି। ହେଲେ ସେଭଳି ଅଭିଯୋଗ ଉପରେ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଅନ୍ୟପକ୍ଷେ ଧାନ କିଣାବିକାରେ ଚାଷୀଙ୍କ ବଦଳରେ ମିଲର୍ସଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲାର ଧାନ କିଣାବିକା ସରି ନ ଥିବବେଳେ ଜିଲାର ମିଲର୍ସମାନଙ୍କୁ ଧାନ ଉଠାଇବା ପାଇଁ ବାହ୍ୟଜିଲାରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି । ଏ ନେଇ ଶୁକ୍ରବାର ଜିଲାର ଏକ ଚାଷୀ ପ୍ରତିନିଧି ଦଳ ସିଏସ୍‌ଓ ଦୁର୍ଗାଚରଣ ଭେସ୍ରାଙ୍କୁ ଭେଟି ଫେରାଦ ହୋଇଥିଲେ ।
ବରଗଡ଼ ଜିଲାରେ ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ୧୧୪ ମିଲର୍ସଙ୍କୁ ସାମିଲ କରାଯାଇ ଥିବାବେଳେ ୧୧୨ ମିଲର୍ସଙ୍କ ଚୁକ୍ତିନାମା ସମ୍ପୂର୍ଣ୍ଣ ହୋଇଛି । ଧାନ କିଣାବିକାରେ ଜିଲାର ଏତେ ସଂଖ୍ୟକ ମିଲର୍ସଙ୍କୁ ନିୟୋଜିତ କରାଯାଇ ଥିଲେ ସୁଦ୍ଧା ସ୍ଥାନୀୟ ମଣ୍ଡି ଗୁଡ଼ିକରୁ ଆଶାନୁରୂପ ଧାନ ଉଠାଯାଉନାହିଁ । ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ଏପରିକି ପଦ୍ମପୁର ଉପଖଣ୍ଡ ଅଧୀନ ମଣ୍ଡି ଗୁଡ଼ିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଫଳରେ ସେହି ଅଞ୍ଚଳର ମଣ୍ଡିଗୁଡ଼ିକରେ ୮ଲକ୍ଷରୁ ଊର୍ଦ୍ଧ୍ୱ ପ୍ୟାକେଟ୍‌ ଧାନ ଖୋଲା ଆକାଶତଳେ ପଡ଼ି ରହିଛି। ସେହିପରି ବରଗଡ଼ ଉପଖଣ୍ଡ ମଣ୍ଡି ଗୁଡ଼ିକରେ ଅନୁରୂପ ଭାବେ ବିକ୍ରି ଅପେକ୍ଷାରେ ଧାନ ପଡ଼ି ରହିଛି । ଦୂରତା ଆଳ ଦେଖାଇ ପଦ୍ମପୁର ଉପଖଣ୍ଡ ମଣ୍ଡି ଗୁଡ଼ିକୁ ମିଲର୍ସ ଯାଉ ନ ଥିବାବେଳେ କଟନୀଛଟନୀ ଆଳ ଦେଖାଇ ବରଗଡ଼ ଉପଖଣ୍ଡର ମଣ୍ଡିଗୁଡ଼ିକରୁ ସେମାନେ ଧାନ ଉଠାଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ଆଉ ୪ଦିନ ପରେ ଜିଲାର ଧାନ କିଣାବିକା ପ୍ରକ୍ରିୟାକୁ ୨ମାସ ବିତିବାକୁ ଥିବାବେଳେ ଏ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସ୍ବାଭାବିକ ହୋଇପାରି ନାହିଁ । ଏଭଳିସ୍ଥଳେ ଏଠାକାର ମିଲର୍ସଙ୍କୁ ବାହ୍ୟ ଜିଲାର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଉଛି ।
ମିଳିଥିବା ଖବର ଅନୁଯାୟୀ, ବରଗଡ଼ ଜିଲାର ୧୫ ମିଲର୍ସଙ୍କୁ ଖୋର୍ଦ୍ଧା ଏବଂ ୮ ମିଲର୍ସଙ୍କୁ ବୌଦ୍ଧ ଜିଲାରୁ ଧାନ ଉଠାଇବା ପାଇଁ ନିର୍ଦ୍ଦେଶ ଦେବାକୁ ମସୁଧା ଚାଲିଛି । ବରଗଡ଼ ଜିଲାରୁ ଆଶାନୁରୂପ ଭାବେ ଧାନ ଉଠାଯାଉ ନ ଥିବାବେଳେ କେଉଁ ସ୍ବାର୍ଥରେ ସମ୍ପୃକ୍ତ ମିଲର୍ସଙ୍କୁ ବାହ୍ୟ ଜିଲାରେ ନିୟୋଜିତ କରାଯାଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ, ଯେଉଁ ମିଲର୍ସଙ୍କୁ ସେହି ଧାନ କିଣାବିକାରେ ସାମିଲ କରାଯାଉଛି, ସେମାନଙ୍କ ମଧ୍ୟରୁ କେତେକ ଧାନ ସଂଗ୍ରହ ନୀତି ଅନୁଯାୟୀ ଏପର୍ଯ୍ୟନ୍ତ ପୂର୍ବରୁ ଉଠାଇଥିବା ଧାନ ବଦଳରେ ଚାଉଳ ଜମା ଦେଇ ପାରି ନ ଥିବା ଆଲୋଚନା ହେଉଛି ।