ମଣ୍ଡିକୁ ଅପେକ୍ଷା

ଚଳିତ ଖରିଫ ଋତୁରେ କଳାହାଣ୍ଡି ଜିଲାରେ ଭଲ ଫସଲ ହୋଇଛି। କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଖରିଫ ଋତୁରେ କଳାହାଣ୍ଡିରେ ୮୧ ଲକ୍ଷ କୁଇଣ୍ଟାଲ ଧାନ ଉପତ୍ାଦନ ହେବ। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନଭେମ୍ବର ପହିଲାରୁ ମଣ୍ଡି ଖୋଲିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ମିଲର୍ସଙ୍କ ଅସହଯୋଗ ଯୋଗୁ ଧାର୍ଯ୍ୟ ତାରିଖର ୧୫ ଦିନ ପରେ ବି ଆଜି ପର୍ଯ୍ୟନ୍ତ ଜିଲା ପ୍ରଶାସନ ମଣ୍ଡି ଖୋଲିବାରେ ବିଫଳ ହୋଇଛି। ଫଳରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ନିଜର ତକତ୍ାଳୀନ ସମସ୍ୟା ମେଣ୍ଟାଇବାକୁ ଯାଇ ଶାଗମାଛ ଦରରେ ଦଲାଲଙ୍କ ହାତରେ ନିଜ ଧାନ ଟେକି ଦେଉଛନ୍ତି। ଜିଲା ଯୋଗାଣ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଖରିଫ ଋତୁରେ କଳାହାଣ୍ଡି ଜିଲାରେ ସମୁଦାୟ ୭୨ ହଜାର ୮୪୩ ଜଣ ଚାଷୀ ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ଏଥର ଜିଲାରେ ୭୪ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ଓ ୧୭ଟି ମହିଳା ଏସ୍‌ଏଚ୍‌ଜି ଦ୍ୱାରା ୧୭୮ଟି ମଣ୍ଡି ଖୋଲିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଜିଲାର ଚାଷୀମାନେ ଧାନ ଅମଳ କରି ମଣ୍ଡିକୁ ଚାତକ ପରି ଅନାଇ ବସିଥିଲେ ମଧ୍ୟ ବିଭିନ୍ନ ବାହାନା ଦେଖାଇ ମିଲର୍ସମାନେ ଜିଲା ପ୍ରଶାସନକୁ ନାକେଦମ୍‌ କରୁଛନ୍ତି। ଫଳରେ ଆଜି ପର୍ଯ୍ୟନ୍ତ ଜିଲାରେ ମଣ୍ଡି ଖୋଲି ପାରିନାହିଁ। ଫଳସ୍ବରୂପ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଏଭଳି ସ୍ଥିତିରେ ଅସାଧୁ ମିଲର୍ସଙ୍କ ଦ୍ୱାରା ନିୟୋଜିତ ଦଲାଲମାନେ ଜିଲା ସାରା ସକ୍ରିୟ ହୋଇ ଉଠୁଛନ୍ତି। ଆର୍ଥତ୍କ ସ୍ଥିତିରେ ଦୁର୍ବଳ ଥିବା ଚାଷୀଙ୍କଠାରୁ କମ୍‌ ଦରରେ ଧାନ କିଣି ବିଭିନ୍ନ ସ୍ଥାନରେ ଲୁଚାଇ ରଖୁଛନ୍ତି। ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ନାନା ସମସ୍ୟା ସାମ୍‌ନାକୁ ଆସିଛି। ଏହା ଚାଷୀ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି। ଏହି ପୁଞ୍ଜୀଭୂତ ଅସନ୍ତୋଷ କେତେବେଳେ ଯେ ଉଗ୍ରରୂପ ଧାରଣ କରିବ ତାହା କେହି କହିପାରିବେ ନାହିଁ। ଅପରପକ୍ଷେ କୃଷକ ସଙ୍ଗଠନମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ପ୍ରଶାସନ ତୁରନ୍ତ ଧାନ କିଣା ପ୍ରକ୍ରିୟା ଆରମ୍ଭ କରି ଚାଷୀଙ୍କୁ ଦଲାଲଙ୍କ କବଳରୁ ରକ୍ଷା କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।