ମଣିଷ ପଣିଆ ଦେଖାଇଲେ ଭୁବନେଶ୍ୱରର ଘର ମାଲିକ: ଛାଡ଼ କଲେ ମାସକର ଭଡ଼ା

ଭୁବନେଶ୍ୱର,୨୯ା୩ (ବ୍ୟୁରୋ): କରୋନା ପାଇଁ ସରକାର ସାରାଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ଘରୋଇ କମ୍ପାନୀ ଏବଂ ଅନ୍ୟ ସଂସ୍ଥାଗୁଡିକ ବନ୍ଦ ରହିଛି। ଏଭଳି ସ୍ଥିତିରେ କର୍ମଚାରୀଙ୍କ ଦରମା ମିଳିବା ଅସମ୍ଭବ ହୋଇପଡ଼ିଛି। କେମିତି ଚଳିବେ, ଘରଭଡ଼ା କିପରି ଦେବେ ତାକୁ ନେଇ ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ମାନବିକତା ଦେଖାଇଛନ୍ତି ଭୁବନେଶ୍ୱର ପଳାଶୁଣୀର ଘର ମାଲିକ ଜିତୁ ଜେନା। ତାଙ୍କ ଘରେ ରହୁଥିବା ୧୦ଜଣଙ୍କର ସେ ୧ ମାସର ଭଡ଼ା ଛାଡ଼ କରି ଦେଇଛନ୍ତି। ଜେନା କହିଛନ୍ତି ଯେ, ଏଭଳି ସମୟରେ ସମସ୍ତେ ସାହାଯ୍ୟର ହାତ ବଢ଼ାନ୍ତୁ ଏବଂ ମାହାମାରୀ କରୋନାର ମୁକାବିଲା କରନ୍ତୁ। ଅନ୍ୟ ଘର ମାଲିକଙ୍କୁ ଘରଭଡ଼ା ଛାଡ଼ କରିବାକୁ ସେ ନିବେଦନ କରିଛନ୍ତି। ଜିତୁଙ୍କ ଏଭଳି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି। ସୂଚନାଯୋଗ୍ୟ, ନିକଟରେ ନୋଏଡା ଜିଲା ମାଜିଷ୍ଟ୍ରେଟ ଏକ ନିର୍ଦ୍ଦେଶନାମା ଜାରି କରି ମାସକର ଘରଭଡ଼ା ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କେହି ଏହାକୁ ନ ମାନେ ତେବେ ଜରିମାନା ସହ ୨ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା କରିଛନ୍ତି।