ମଡେଲଙ୍କ ବଙ୍ଗଳାରୁ ଚୋରି

ଲଣ୍ଡନ,୧୬।୧୨: ଲଣ୍ଡନର ଜଣାଶୁଣା ମଡେଲ ତଥା ଟିଭି ପର୍ସନାଲିଟି ତମାରା ଏକଲେଷ୍ଟୋନଙ୍କ ଘରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି। ମାତ୍ର ୫୦ ମିନିଟ୍‌ରେ ଚୋରମାନେ ୪୭୫ କୋଟି ଟଙ୍କାର ଗହଣା ଚୋରି କରିନେଇଥିବା ଜଣାପଡ଼ିଛି। ତେବେ ତମାରାଙ୍କ ଘର ଭିଆଇପି ଅଞ୍ଚଳରେ ରହିଥିବା ବେଳେ ଏଭଳି ଘଟଣା ଘଟିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ତମାରା ସ୍ବାମୀ ଜୟ ରୁଟଲାଣ୍ଡଙ୍କ ସହ ରୁହନ୍ତି। ସେ ଯେଉଁ ବିଳାସମୟ ଘରେ ରହୁଛନ୍ତି ତା’ର ମୂଲ୍ୟ ପ୍ରାୟ ୬୬୫ କୋଟି ଟଙ୍କା ଆକଳନ କରାଯାଇଛି। ତେବେ ଚୋରି ହେବା ପୂର୍ବରୁ ତମାରା କ୍ରିସ୍‌ମାସ ଛୁଟିରେ ଦେଶ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଶୁକ୍ରବାର ବଗିଚା ରାସ୍ତା ଦେଇ ଘର ଭିତରକୁ ପଶି ଗହଣା ଚୋରି କରିଥିଲେ। ଉଲ୍ଲେଖଯୋଗ୍ୟ, ତମାରାଙ୍କ ୫୭ ରୁମ୍‌ ବିଶିଷ୍ଟ ଉକ୍ତ ବଙ୍ଗଳାରେ ୨୪ ଘଣ୍ଟା ସୁରକ୍ଷାକର୍ମୀ ରହିଥାନ୍ତି। ତେବେ ଏତେ ସୁରକ୍ଷା ବ୍ୟବସ୍ଥା ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି।

Share