ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ବିକ୍ଷୋଭ

ଦାରିଙ୍ଗବାଡ଼ି,୨୩।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ନାଗରିକ ମଞ୍ଚ ଏବଂ କନ୍ଧମାଳ ମିଳିତ ନାଗରିକ କମିଟି ପକ୍ଷରୁ ଜିଲାରେ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ପଥପ୍ରାନ୍ତ ସଭା,ଶୋଭାଯାତ୍ରା ସହ ବ୍ଳକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏହାସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହାକୁ ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ ଗ୍ରହଣ କରିବା ସହ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ନିକଟକୁ ଦାବିପତ୍ର ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରକାଶ ଯେ, ଶତାଧିକ ଅଞ୍ଚଳବାସୀ ଏବଂ ବିଭିନ୍ନ ସଂଗଠନର ସଦସ୍ୟମାନେ ଶିବ ମନ୍ଦିର ପ୍ରାଙ୍ଗଣରେ ଏକାଠି ହୋଇଥିଲେ। ସେଠାରୁ ବିରାଟ ଶୋଭାଯାତ୍ରାରେ ଦାରିଙ୍ଗବାଡ଼ି ସହର ପରିକ୍ରମା କରିବା ସହ ଚାରିଛକଠାରେ ପଥପ୍ରାନ୍ତ ସଭା କରାଯାଇଥିଲା। ମେଡିକଲ କଲେଜ ଏବଂ ହସ୍ପିଟାଲର ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ କୁହାଯାଇଥିଲା। ପରେ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବ୍ଳକ ସମେତ ଜିଲାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନରେ ମିଳିତ ନାଗରିକ କମିଟିର ଆବାହକ ଅଶୋକ କୁମାର ପରିଡ଼ା, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ଦାରିଙ୍ଗବାଡ଼ି ନାଗରିକ ମଞ୍ଚର ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ତଥା ଆଇନଜୀବୀ ହରେନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।