Categories: ଜାତୀୟ

ମଞ୍ଚରେ ବଂଶୀ ବଜାଇଲେ ତେଜ ପ୍ରତାପ

ବୈଶାଳି, ୨୧।୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ଭିନ୍ନ ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି। ରାଜନୀତି ଅପେକ୍ଷା ଭିନ୍ନ ଅନ୍ଦାଜକୁ ସେ ସର୍ବଦା ଚର୍ଚ୍ଚାରେ ଥାନ୍ତି। କେତେବେଳେ ହିରୋ ତ ଆଉ କେତେବେଳେ ଶିବଭକ୍ତ ଭାବେ ସେ ଦେଖାଯାନ୍ତି। ଶୁକ୍ରବାର ମହାଶିବରାତ୍ରୀ ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ଭାଗ ନେଇ କୃଷ୍ଣଙ୍କ ଭଳି ବଂଶୀ ଫୁଙ୍କିଛନ୍ତି ଶିବଭକ୍ତ ତେଜପ୍ରତାପ। ବୈଶାଳି ଜିଲାର ଗଙ୍ଗାଜଳ ଗ୍ରାମରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ପହଞ୍ଚି ମଞ୍ଚରେ ବଂଶୀ ବଜାଇ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ପ୍ରଥମେ ସ୍ଥାନୀୟ ଲୋକଙ୍କୁ ସମ୍ବୋଧିତ କରି କହିଥିଲେ, ୨୦୨୦ରେ କାହାର ବଦ୍ଧ ହେବ? ଏହାପରେ ଉପସ୍ଥିତ ଲୋକେ କହିଥିଲେ, ନୀତିଶ ବଦ୍ଧ ହେବ। ୨୦୨୦ରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଇଛି। ଏହାକୁ ନେଇ ରାଜନୀତି ସରଗରମ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ତେଜ ପ୍ରତାପ ଏଭଳି ମନ୍ତବ୍ୟ ଦେଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ମକର ସଂକ୍ରାନ୍ତି ଦିନ ତେଜ ପ୍ରତାପ ଭଗବାନ ଶ୍ରୀକୃଷ୍ଣଙ୍କ ରୂପ ଧାରଣ କରିଥିଲେ। ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା।

Share