ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ଅନୁରୋଧ

ଭୁବନେଶ୍ୱର(ବ୍ୟୁରୋ)/ଚଣ୍ଡିଗଡ଼, ୧୫।୯(ଆଇଏଏନ୍‌ଏସ୍‌): ଶିଖ୍‌ ଗୁରୁ ନାନକ ଦେବଙ୍କ ସହ ଜଡ଼ିତ ପୁରୀର ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓଡ଼ିଶା ପ୍ରତିପକ୍ଷ ନବୀନ ପଟ୍ଟନାୟକଙ୍କୁ ଶନିବାର ଅନୁରୋଧ କରିଛନ୍ତି। ଅମରିନ୍ଦର ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା ଜଣାପଡିଛି। ମଙ୍ଗୁ ମଠ ଭଙ୍ଗାଯିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ସହ ପୁନର୍ବିଚାର ପାଇଁ ଅନୁରୋଧ କରିଛନ୍ତି। ଟୁଇଟ୍‌ ଜରିଆରେ ଅମରିନ୍ଦର କହିଛନ୍ତି ଯେ, ଗୁରୁ ନାନକଙ୍କ ସ୍ମୃତି ବହନ କରୁଥିବା ମଙ୍ଗୁ ମଠ ଭଙ୍ଗାଯିବା ଖବର ତାଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଗୁରୁ ନାନକ ପୁରୀ ଗସ୍ତ କରି ସତ୍‌ ବାର୍ତ୍ତା ପ୍ରଚାର କରିଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି। ୧୬୧୫ରେ ନିର୍ମିତ ଏହି ମଠ ସହ ଶିଖ୍‌ ସମ୍ପ୍ରଦାୟର ଦୀର୍ଘଦିନର ସମ୍ପର୍କ ରହିଛି। ନାନକ ତାଙ୍କ ଧର୍ମ ପ୍ରଚାର ବେଳେ ପୁରୀ ଆସିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ସହ ଶିଖ୍‌ଧର୍ମ ସମ୍ପର୍କର ଏହା ପ୍ରତୀକ। ସାରା ବିଶ୍ୱ ଗୁରୁ ନାନକଙ୍କ ୫୫୦ତମ ପ୍ରକାଶ ପର୍ବ ପାଳନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଓଡ଼ିଶା ସରକାର ଏହାକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେବା ଦୁଃଖର ବିଷୟ ବୋଲି ଅମରିନ୍ଦର କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ ପ୍ରଚେଷ୍ଟାରେ ଜଗନ୍ନାଥ ମନ୍ଦିରର ୭୫ ମିଟର ଚତୁଃପାର୍ଶ୍ୱରେ ଉଚ୍ଛେଦ ଜାରି ରହିଛି। ସେହିକ୍ରମରେ ମଙ୍ଗୁ ମଠ ଭଙ୍ଗାଯିବା ନେଇ ନିଷ୍ପତ୍ତି ହୋଇଛି।

Share