Categories: ଜାତୀୟ

ମଙ୍ଗଳବାରଠୁ ଧୀରେ ଧୀରେ ସ୍ବାଭାବିକ ହେବ ଟ୍ରେନ୍‌ ଚଳାଚଳ

ନୂଆଦିଲ୍ଲୀ,୧୧।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୫ରୁ ଯାତ୍ରୀବାହୀ ରେଳ ସେବା ବନ୍ଦ ହୋଇଛି। ତେବେ ଏହି ସେବା ଆସନ୍ତା ମଙ୍ଗଳବାରଠାରୁ ଦେଶ ମଧ୍ୟରେ ଧୀରେ ଧୀରେ ସ୍ବାଭାବିକ ହେବ। ରେଳ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ନିଷ୍ପତ୍ତି ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡ଼ା ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳକୁ ଅନୁମତି ମିଳିଛି। ଏହି ଟ୍ରେନ୍‌ଗୁଡିକ ସ୍ବତନ୍ତ୍ର ଟ୍ରେନ୍‌ ଭାବେ ଯାତ୍ରାକରିବ। ନୂଆଦିଲ୍ଲୀଠାରୁ ଟ୍ରେନ୍‌ଗୁଡିକ ଦିବ୍ରୁଗଡ଼, ଅଗରତାଲା, ହାଓଡା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବାଙ୍ଗାଲୋର, ଚେନ୍ନାଇ, ଥିରୁଭାନନ୍ତପୁରମ, ମାଡଗାଓଁ, ମୁମ୍ବାଇ, ସେଣ୍ଟ୍ରାଲ, ଅହମ୍ମଦାବାଦ ଏବଂ ଜମ୍ମୁତାଓ୍ବି ମଧ୍ୟରେ ଚଳାଚଳ କରିବ।
ଟ୍ରେନ୍‌ଗୁଡିକରେ ଯାତ୍ରା ଲାଗି ସୋମବାର ୪ଟା ପରଠାରୁ ବୁକିଂ ଆରମ୍ଭ ହେବ। ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ(ଆଇଆର୍‌ସିଟିସି) ଓ୍ବେବ୍‌ସାଇଟରୁ ଲୋକମାନେ ଏ ନେଇ ଟିକେଟ ବୁକିଂ କରିପାରିବେ। ଏହି ସମୟରେ ଷ୍ଟେଶନଗୁଡିକରେ ଥିବା ଟିକେଟ କାଉଣ୍ଟର ବନ୍ଦ ରହିଥିବାରୁ ପ୍ଲାଟ୍‌ଫର୍ମ ଟିକେଟ ଉପଲବ୍ଧ ହେବ ନାହିଁ। ବୈଧ ବା କନ୍‌ଫର୍ମ ଟିକେଟ ଥିବା ଲୋକମାନେ କେବଳ ପ୍ଲାଟ୍‌ଫର୍ମରେ ପ୍ରବେଶ କରିପାରିବେ। ଯାତ୍ରୀମାନେ ମାସ୍କ ଲଗାଇବା ବାଧ୍ୟତାମୂଳକ ହେବ। ଯାତ୍ରା କରିବାକୁ ଥିବା ଲୋକଙ୍କ ସ୍କ୍ରିନିଂ ମଧ୍ୟ କଡ଼ାକଡ଼ି ହେବ। ଯେଉଁ ଲୋକଙ୍କଠାରେ କୌଣସି ଲକ୍ଷଣ ଜଣା ପଡିବ ନାହିଁ ସେମାନଙ୍କୁ ହିଁ ଟ୍ରେନ୍‌ ଯାତ୍ରାର ସୁଯୋଗ ମିଳିବ। ଟ୍ରେନ ଚଳାଚଳ ନେଇ ସୂଚୀ ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯିବ ବୋଲି ସୂଚନା ରହିଛି।
ପରବର୍ତ୍ତୀ ପର୍ଯ୍ୟାୟରେ ରେଳପଥ ପକ୍ଷରୁ ନୂଆ ରୁଟ୍‌ଗୁଡ଼ିକରେ ଅଧିକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବା ନେଇ ବ୍ୟବସ୍ଥା କରାଯିବ। କୋଚ୍‌ ଉପଲବ୍ଧତା ବିଚାର କରି ଏଭଳି ପଦକ୍ଷେପ ନିଆଯିବ। ସୂଚନାଯୋଗ୍ୟ କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଜାରି ଅଧୀନ ରେଲଓ୍ବେର ୨୦ ହଜାର କୋଚ୍‌କୁ କେୟାର ସେଣ୍ଟର ଭାବେ ସଂରକ୍ଷଣ କରାଯାଇଛି। ଫସି ରହିଥିବା ଶ୍ରମିକଙ୍କ ଲାଗି ପ୍ରତିଦିନ ପ୍ରାୟ ୩୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରାଇବାକୁ ପର୍ଯ୍ୟାପ୍ତ ସଂଖ୍ୟକ କୋଚ୍‌ ବ୍ୟବସ୍ଥା କରାଯାଇଛି ବୋଲି ରେଳପଥ ପକ୍ଷରୁ ସୂଚନା ରହିଛି।

Share