ମକାକ୍ଷେତରେ ବିମାନ ଅବତରଣ

ମସ୍କୋ, ୧୭ା୮(ପି.ଟି.): ରୁଷିଆର ୟୁରାଲ ଏୟାରଲାଇନ୍ସ ଏ୩୨୧ ବିମାନ ୨୨୬ ଯାତ୍ରୀ ଓ ୭ କର୍ମଚାରୀଙ୍କୁ ନେଇ ଗୁରୁବାର ମସ୍କୋର ଝୁକୋଭସ୍କାୟା ବିମାନବନ୍ଦରରୁ କ୍ରିମିଆ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର କିଛିକ୍ଷଣ ପରେ ପକ୍ଷୀମାଡ଼ର ଶିକାର ହୋଇଥିଲା। ବିମାନର ଦୁଇଟି ଇଞ୍ଜିନ ଖରାପ ହେବାରୁ କ୍ୟାପ୍‌ଟେନ ଡାମିର ୟୁସୁପୋଭ୍‌(୪୧) ଉପସ୍ଥିତ ବୁଦ୍ଧି ଖଟାଇ ଏକ ମକାକ୍ଷେତ ଭିତରେ ଲ୍ୟାଣ୍ଡିଂ କରିଥିଲେ। ବିମାନଟି ଯାତ୍ରୀପୂର୍ଣ୍ଣ ଥିବାବେଳେ ୧୬ ଟନ୍‌ ଫୁଏଲରେ ଭର୍ତ୍ତି ଥିଲା। ସବୁଯାତ୍ରୀ ଆତଙ୍କିତ ଥିବାବେଳେ ଅଭିଜ୍ଞ ୟୁସୁପୋଭ୍‌ ବିମାନଟିକୁ ସୁରକ୍ଷିତ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଥିଲେ। କେତେକ ଯାତ୍ରୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲ ନିଆଯାଇଥିଲେ ହେଁ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ୨୦୧୩ରେ ସ୍ନାତକ ପାସ୍‌ କରି ଓକିଲାତି କରୁଥିବା ଡାମିର ୟୁସୁପୋଭ୍‌ ପରେ ଫ୍ଲାଇଟ୍‌ ସ୍କୁଲରେ ଯୋଗଦେଇ ପାଇଲଟଭାବେ କାର୍ଯ୍ୟ କରୁଥିଲେ। ଗତବର୍ଷ କ୍ୟାପ୍‌ଟେନ ହୋଇଥିଲେ। ତାଙ୍କ ସାହସକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମୁଖପାତ୍ର ଡିମିଟ୍ରି ପେସ୍କୋଭ ପ୍ରଶଂସା କରିଛନ୍ତି।

Share