Categories: ଜାତୀୟ

ମଇଦାନରେ ୧୬୪ କୋଟିପତି

ନୂଆଦିଲ୍ଲୀ,୨୬ା୧: ଫେବୃୟାରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ମଇଦାନରେ ଅଛନ୍ତି ୧୬୪ କୋଟିପତି ପ୍ରାର୍ଥୀ। ୧୩ ପ୍ରାର୍ଥୀ ସେମାନଙ୍କ ସମ୍ପତ୍ତିର ମୂଲ୍ୟ ୫୦ କୋଟିରୁ ଊର୍ଦ୍ଧ୍ୱ ଦର୍ଶାଇଛନ୍ତି। ସବୁଠାରୁ ଅଧିକ ଧନୀ ଭାବେ ଏଏପିର ମୁଣ୍ଡ୍‌କା ପ୍ରାର୍ଥୀ ଧରମପାଲ ଲାକ୍ରା(୨୯୨.୧ କୋଟି) ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ଆର୍‌କେ ପୁରମ୍‌ ଆସନରୁ ଲଢ଼ୁଥିବା ପର୍‌ମିଲା ଟୋକାସ୍‌ (୮୦.୮ କୋଟି) ଅଛନ୍ତି। ତୃତୀୟରେ ଏଏପିର ବଦରପୁର ପ୍ରାର୍ଥୀ ରାମ୍‌ ସିଂ ନେତାଜୀ(୮୦ କୋଟି) ସ୍ଥାନ ପାଇଛନ୍ତି। ପଟେଲନଗର ଆସନରୁ ମଇଦାନକୁ ଓହ୍ଲାଇଥିବା ରାଜ୍‌ କୁମାର ଆନନ୍ଦ ୭୬ କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବାବେଳେ କଂଗ୍ରେସର ପ୍ରିୟଙ୍କା ସିଂ ୭୦.୩ କୋଟିର ମାଲିକ ଥିବା ଜଣାପଡ଼ିଛି। କଂଗ୍ରେସ ଓ ଭାଜପାରୁ ଅନେକ କୋଟିପତି ପ୍ରାର୍ଥୀ ନିର୍ବାଚନରେ ଲଢ଼ୁଥିବା ଜଣାପଡ଼ିଛି। ୫୦ କୋଟି କ୍ଲବରେ ଏଏପିର ୬, କଂଗ୍ରେସର ୪ ଓ ଭାଜପାର ୩ ପ୍ରାର୍ଥୀ ଅଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ରକି ତୁସିଦ୍‌ଙ୍କ ସମ୍ପତ୍ତି ମୂଲ୍ୟ ସବୁଠୁ କମ୍‌ ବୋଲି ଜଣାପଡିଛି । ସେ ରାଜେନ୍ଦ୍ରନଗରରୁ ପ୍ରାର୍ଥୀ ହୋଇଥିବାବେଳେ ସମ୍ପତ୍ତି ମାତ୍ର ୫୫,୫୭୪ ଟଙ୍କାର ଥିବା ଉଲ୍ଲେଖ କରିଛନ୍ତି।

Share