Categories: ଫୁରସତ

ମଇଁଷି ଗର୍ଭବତୀ ହେବାରୁ ଗାଁରେ ପାଳନ ହେଲା ଉତ୍ସବ

ଛତିଶଗଡ଼ରେ ଏବେ ପଶୁପ୍ରେମୀଙ୍କ ଉତ୍ସାହ ଦେଖିବାକୁ ମିଳିଛି। କାରଣ ଏଠାରେ ଥିବା ଉଦନ୍ତି ଅଭୟାରଣ୍ୟର ଗୋଟିଏ ବଣୁଆ ମଇଁଷି ଗର୍ଭବତୀ ହୋଇଛି। କଥାଟା ଟିକେ ଅଡୁଆ ଲାଗୁଥିଲେ ବି ସତ। ଏହି ମଇଁଷିଟିର ନାଁ ଖୁସି। ଖୁସି ଗର୍ଭବତୀ ହୋଇଥିବା ବେଳେ ଆସନ୍ତା ଅଗଷ୍ଟ ମାସରେ ସେ ଛୁଆ ଜନ୍ମ କରିପାରେ ବୋଲି କୁହାଯାଉଛି। ଆଉ ଏହି ଖବର ପାଇବା ପରେ ଆଖପାଖର ପ୍ରାୟ ସବୁ ଲୋକଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି। ପ୍ରକୃତ ଘଟଣା ହେଲା ଏହି ବଣୁଆ ମଇଁଷିଙ୍କ ବଂଶ ଏବେ ଲୋପ ପାଇବାରେ ଲାଗିଛି । ଏବେ ଉଦନ୍ତି ଅଭୟାଣ୍ୟରେ ଏମାନଙ୍କ ସଂଖ୍ୟା ପହଞ୍ଚିଛି ୮ରେ। ସେଥିମଧ୍ୟରୁ ମାଇ ବଣୁଆ ମଇଁଷି ହେଉଛନ୍ତି ମାତ୍ର ୨ଟି। ଗୋଟିଏ ହେଉଛି ଆଶା ଓ ଅନ୍ୟଟି ତା’ର ଝିଅ ଖୁସି। ଆଶା ଏବେ ବୟସ୍କ ହୋଇଯାଇଥିବାରୁ ସେ ଆଉ ପ୍ରଜନନକ୍ଷମ ହୋଇ ରହିନାହିଁ। ଏବେ କେବଳ ଖୁସି ହିଁ ଛୁଆ ଜନ୍ମ କରିବାର କ୍ଷମତା ରଖିଛି। ଯଦି ଏବେ ଖୁସି ଛୁଆଜନ୍ମ କରେ ତା’ହେଲେ ଏମାନଙ୍କ ବଂଶ ବୃଦ୍ଧି ହୋଇପାରିବ। ତେଣୁ ଖୁସି ଗର୍ଭବତୀ ହେବା ଖବର ଏବେ ସମସ୍ତଙ୍କୁ ଖୁସି ଦେଇଛି। ଏମିତିକି ବିଶେଷଜ୍ଞମାନେ ତା’ର ବିଶେଷ ଯତ୍ନ ବି ନେଉଛନ୍ତି। ତାକୁ କେବେହେଲେ ଏକୁଟିଆ ରହିବାକୁ ଦିଆଯାଉ ନାହିଁ। ତା’ର ଖାଦ୍ୟ ପାନୀୟରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଉଛି। ଏଥର ଯଦି ଖୁସି ଝିଅ ଜନ୍ମ କରେ ତେବେ ତାହା ଗାଁ ଲୋକଙ୍କ ପାଇଁ ଆହୁରି ଖୁସି ଆଣିଦେବ ବୋଲି କୁହନ୍ତି ସ୍ଥାନୀୟ ଲୋକେ। କାରଣ ଝିଅହେଲେ ସେ ପୁଣି ବଣୁଆ ମଇଁଷିଙ୍କ ବଂଶ ବୃଦ୍ଧିରେ ସାହାଯ୍ୟ କରିବ।

Share