Categories: ଖେଳ

‘ଭୟଭୀତ ହେବାର ଆବଶ୍ୟକତା ନାହିଁ’

ଲଣ୍ଡନ,୨୬।୫- ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ୍‌ ଭାରତକୁ ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୬ ଉଇକେଟରେ ପରାସ୍ତ କରିଛି। ଟ୍ରେଣ୍ଟ ବୋଲ୍ଟ ଓ କଲିନ ଡେ ଗ୍ରାଣ୍ଡହୋମଙ୍କ ଘାତକ ବୋଲିଂ ଯୋଗୁ ଭାରତୀୟ ଦଳ ୮୧ ରନ୍‌ରେ ୬ ଉଇକେଟ ହରାଇ ସାରିଥିଲା। ଏଭଳି ସଙ୍କଟଜନକ ପରିସ୍ଥିତିରେ ଜାଡେଜା ୫୪ ବଲରୁ ୫୦ ରନ୍‌ କରିିଥିଲେ। ଫଳରେ ଭାରତୀୟ ଦଳ (୧୭୯ ରନ) ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନ୍‌ର ସମ୍ମାନଜନକ ଟାର୍ଗେଟ ଦେଇପାରିଥିଲା। କିନ୍ତୁ ଉପର କ୍ରମର ବ୍ୟାଟ୍ସମ୍ୟାନଙ୍କ ବିଫଳତା ପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କହିଛନ୍ତି। ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କାରଣ ବିଶ୍ୱକପ୍‌ରେ ଦଳକୁ ବ୍ୟାଟିଂ ପାଇଁ ନିଶ୍ଚିତ ଆମନ୍ତ୍ରଣ ମିଳିବ। ଏଭଳି ପରିସ୍ଥିତିରେ ନିଜକୁ ପରୀକ୍ଷା କରିବା ପାଇଁ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନିଆଯାଇଥିଲା। ଏଠାକାର ପିଚ୍‌ରେ ଘାସ ଥିବାରୁ ପ୍ରଥମ ୧୫ରୁ ୨୦ ଓଭର ବ୍ୟାଟିଂ କରିବା କଷ୍ଟକର ଥିଲା। ଏହାପରେ ଧୀରେ ଧୀରେ ପିଚ୍‌ ବ୍ୟାଟିଂ ଲାଗି ଉପଯୋଗୀ ହୋଇଯାଇଥିଲା। ଏଣୁ ଦଳର ବ୍ୟାଟିଂ ବିଭାଗ ଲାଗି ଚିନ୍ତା କରିବାର ଆବଶ୍ୟକତା ନାହିଁ। ସଭିଙ୍କ ନିକଟରେ ଅଭିଜ୍ଞତା ରହିଛି। ଫ୍ଲାଟ୍‌ ପିଚ୍‌ ମିଳିଲେ ଦଳ ବୃହତ୍‌ ସ୍କୋର ଛିଡ଼ା କରିପାରିବ। ଆମକୁ ଏବେ ଅଧିକ ପରିଶ୍ରମ କରିବାକୁ ପଡ଼ିବ ଏବଂ ବ୍ୟାଟିଂ ଦକ୍ଷତା ଉପରେ ଗୁରୁତ୍ୱ ଦେବାର ଦରକାର ଅଛି ବୋଲି ଜାଡେଜା ମ୍ୟାଚ୍‌ ପରେ କହିଛନ୍ତି।

Share