ଭୟଙ୍କର କରୋନା ଭାଇରସ୍‌କୁ ନେଇ ବଲିଉଡ୍‌ ତିଆରି କରିବ ଫିଲ୍ମ

ମୁମ୍ବାଇ: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ମହାମାରୀ ରୂପ ଧାରଣ କରିଛି। ଏଥିଯୋଗୁ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ମୃତ୍ୟୁ ସଂଖ୍ୟା ୨କୁ ଛୁଇଁଛି। ଭାରତରେ ଏପର୍ଯ୍ୟନ୍ତ ସଂକ୍ରମିତ ସଂଖ୍ୟା ୧୧୩ ଥିବା ଜଣାପଡ଼ିଛି। କରୋନା ଯୋଗୁଁ ଜନଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଭାରତର ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ ହେବା ସହ ବଲିଉଡ୍‌ ଫିଲ୍ମ ଶୁଟିଂ ଓ କେତେକ ଫିଲ୍ମ ରିଲିଜ୍‌କୁ ସ୍ଥଗିତ ରଖାଯାଇଛି। ଯେଉଁଠାରେ ସାରା ବିଶ୍ୱ କରୋନାକୁ ନେଇ ଚିନ୍ତିତ ରହିଛି ସେଠାରେ ବଲିଉଡ୍‌ ଏହାକୁ ନେଇ ଏକ ଫିଲ୍ମ ତିଆରି କରିବାକୁ ଚିନ୍ତା କରିଛି। ଏହାର ନାମ ଚୟନ କରାଯାଇଥିବା ବେଳେ ପଞ୍ଜୀକରଣ ମଧ୍ୟ କରାଯାଇସାରିଥିବା ଜଣାପଡ଼ିଛି। କେବଳ ଫିଲ୍ମର ଶୁଟିଂ ଆରମ୍ଭ ହେବା ବାକି ରହିଛି। ଏରସ୍‌ ଇଣ୍ଟରନ୍ୟାସ୍‌ନାଲ କମ୍ପାନୀ ତିଆରି କରିବାକୁ ଯାଉଥିବା ଫିଲ୍ମଟିର ନାମ ହେଉଛି ‘କରୋନା ପ୍ୟାର ହୈ’। ଯାହା ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ଅଭିନୀତ ଡେବ୍ୟୁ ଫିଲ୍ମ ‘କହୋନା ପ୍ୟାର ହୈ’ ସହ ମେଳ ଖାଉଛି। ଏହା କୋଭିଡ-୧୯ ଉପରେ ରେଜିଷ୍ଟର ହୋଇଥିବା ପ୍ରଥମ ଫିଲ୍ମ। ଏନେଇ ଫିଲ୍ମ ପ୍ରଯୋଜକ କ୍ରିଶିକା ଲୁଲା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ ସାମାନ୍ୟ ସ୍ଥିତି ହୋଇଯିବ ସେତେବେଳେ ଏହାର ଶୁଟିଂ ଆରମ୍ଭ ହେବ। ତେବେ ଏଥିରେ କେଉଁ ଅଭିନେତା ଓ ଅଭିନେତ୍ରୀ କାମ କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅପରପକ୍ଷେ ଆଉ ଏକ ପ୍ରଡକ୍ସନ୍‌ ହାଉସ୍‌ ଇଣ୍ଡିଆନ୍‌ ମୋଶନ ପିକଚର୍‌ ପ୍ରଡ୍ୟୁସର୍ସ ଆସୋସିଏଶନ୍‌ ମଧ୍ୟ କରୋନାକୁ ନେଇ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏଥିପାଇଁ ପଞ୍ଜୀକରଣ ସରିଥିବା ବେଳେ ଏହାର ନାମ ‘ଡେଡଲି କେରାନା’ ରଖାଯାଇଛି। ପୂର୍ବରୁ ମଧ୍ୟ ସତ୍ୟ ଘଟଣାକୁ ନେଇ ବଲିଉଡ୍‌ରେ ଫିଲ୍ମ ତିଆରି ହୋଇଛି।

Share