ଭ୍ୟାନିଟ୍‌ ବ୍ୟାଗ୍‌ ନେଇ କାର ଡ୍ରାଇଭର ଫେରାର ଘଟଣା : ଯାଜପୁରରୋଡ ଷ୍ଟେଶନ ବାଜାରରୁ ଡ୍ରାଇଭର ଗିରଫ

ଧର୍ମଶାଳା,୫ା୮(ଡି.ଏନ୍‌.ଏ.) : ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବାରବାଟି ନିକଟରେ ମହିଳା ଯାତ୍ରୀଙ୍କୁ ଅଧାବାଟରେ ଛାଡି ଚମ୍ପଟ ମାରିଥିବା କାର୍‌ ଡ୍ରାଇଭରକୁ ରବିବାର ପୋଲିସ ଗିରଫ କରିଛି। ଏଥିସହ ଲୁଟ୍‌ ହୋଇଥିବା ମହିଳାଙ୍କ ଭ୍ୟାନିଟ୍‌ ବ୍ୟାଗ୍‌ ଓ କାର୍‌କୁ ଜବତ କରିଛି। ମହିଳାଙ୍କ ମୋବାଇଲ ଫୋନକୁ ଡ୍ରାଇଭର କେଉଁଠି ଫିଙ୍ଗି ଦେଇଥିବାରୁ ତାହା ମିଳିପାରି ନାହିଁ। ଗିରଫ ଡ୍ରାଇଭର ଜଣଙ୍କ ବିକାଶ କୁମାର ଲାହା। ତାଙ୍କୁ ସକାଳେ ଯାଜପୁରରୋଡ ଷ୍ଟେଶନ ବାଜାରରୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଏ ନେଇ ପୋଲିସ ଏକ ମାମଲା (ନଂ. ୩୧୪/୧୯) ରୁଜୁକରି ବିକାଶକୁ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଥିଲା। ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଯାଜପୁର ଉପକାରାଗାରକୁ ପଠାଇ ଦିଆଯାଇଛି। ଭ୍ୟାନିଟ୍‌ ବ୍ୟାଗ୍‌କୁ ପୋଲିସ ମହିଳାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି।
ପ୍ରକାଶ ଯେ, ଅନୁଗୁଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ନର୍ସ କାମ କରୁଥିବା ନିରୁପମା ବିଶ୍ୱାଳ ଶନିବାର ବାପା ମରିବା ଖବର ପାଇ ବାଲେଶ୍ୱର ଜିଲା ମାର୍କୋଣା ଯିବାଲାଗି ଅନୁଗୁଳରୁ ବସ୍‌ରେ ଆସି ମଙ୍ଗୁଳି ଛକରେ ଓହ୍ଲାଇଥିଲେ। ସେଠାରୁ ମାର୍କୋଣା ଯିବା ପାଇଁ ବିକାଶଙ୍କ କାର ଭଡା କରିଥିଲେ। ବାରବାଟି ନିକଟରେ କୌଣସି ଏକ କାମରେ ନିରୁପମା କାର୍‌ରୁ ଓହ୍ଲାଇଥିବା ବେଳେ ବିକାଶ ଭ୍ୟାନିଟ୍‌ ବ୍ୟାଗ୍‌ ନେଇ ପଳାଇଥିଲେ। ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ମହିଳାଙ୍କୁ ବାଲେଶ୍ୱର ବସ୍‌ରେ ଛାଡିଥିଲେ। ଏହି ଘଟଣାର ଛାନଭିନ କରି ମଙ୍ଗୁଳି ଟୋଲଗେଟରେ ଲାଗିଥିବା ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରି କାରର ସନ୍ଧାନ ପାଇଥିଲା। ଏହି ଆଧାରରେ ଶନିବାର ରାତିରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ବେଳେ ସକାଳେ କାର ଡ୍ରାଇଭର ବିକାଶକୁ ଯାଜପୁରରୋଡ ଷ୍ଟେଶନ ବଜାରରୁ ଗିରଫ କରିଥିଲା।