ଭୋକିଲା ଜୀବଜନ୍ତୁଙ୍କୁ ଖାଦ୍ୟ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବ୍ୟୟବରାଦ

ଭୁବନେଶ୍ୱର,୩୧ା୩(ବ୍ୟୁରୋ)- କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ଲକ୍‌ଡାଉନ୍‌ ରହିଛି। ବୁଲା ଜୀବଜନ୍ତୁ ଏହି ଲକ୍‌ଡାଉନ ସମୟରେ ଭୋକ ଉପାସରେ ରହୁଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ମ୍ୟୁନିସିପାଲିଟିରେ ଥିବା ବୁଲା କୁକୁର, ଷଣ୍ଢ, ମାଙ୍କଡ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ୧୮ ଦିନ ସକାଶେ ଖାଦ୍ୟ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଦିନକୁ ୨୦ ହଜାର କରି ୧୮ ଦିନ ସକାଶେ ୩ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ବ୍ରହ୍ମପୁର, କଟକ, ରାଉରକେଲା ଏବଂ ସମ୍ବଲପୁର ମହାନଗର ନିଗମ ପାଇଁ ଦୈନିକ ୧୦ ହଜାର ହିସାବରେ ୭ ଲକ୍ଷ ୨୦ ହଜାର ଏବଂ ୪୮ଟି ମ୍ୟୁନିସିପାଲିଟି ପାଇଁ ୧୮ ଦିନ ସକାଶେ ଦୈନିକ ୫ ହଜାର ଟଙ୍କା ଲେଖାଏ ମୋଟ ୪୪ ଲକ୍ଷ ୨୦ ହଜାର ଟଙ୍କା ଅନୁମୋଦନ କରାଯାଇଛି। ସେହି ଅର୍ଥରେ ସମ୍ପୃକ୍ତ ମହାନଗର ନିଗମ ଭୋକିଲା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ମହାନଗର ନିଗମ କମିଶନର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ଚିଠି ଲେଖି ଜଣାଯାଇଛି। ସେହି ଜୀବଜନ୍ତୁମାନେ ଯେପରି ଅନାହାରରେ ନ ମରିବେ ସେଥିପ୍ରତି ଦୃଷ୍ଟିଦେବାକୁ କୁହାଯାଇଛି। ପୌର ସଂସ୍ଥାଗୁଡିକ ଜୀବଜନ୍ତୁଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଗୁଡିକର ସହାୟତା ନେଇ ଏହି କାର୍ଯ୍ୟ କରିବେ। ଯଦି ସେଭଳି ସଂସ୍ଥା ନ ମିଳିବେ ତେବେ ଘରୋଇ ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିପାରିବେ। ଏହାଛଡା ସ୍ବେଚ୍ଛାସେବୀ ସଂସ୍ଥା ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସ୍ଥାନୀୟ କର୍ମଚାରୀଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରିବାକୁ ପରାମର୍ଶ ଦିଆଯାଇଛି ।