ଭୋକିଲା, ଗରିବଙ୍କୁ ମିଳିଲା ୨ ଓଳି ରନ୍ଧା ଖାଦ୍ୟ

ସୋନପୁର,୨୯।୩(ନି.ପ୍ର.) ସୁବର୍ଣ୍ଣପୁର ସହରରେ ଶନିବାର ଆହାର କେନ୍ଦ୍ର ପକ୍ଷରୁ ଭୋକିଲା ପେଟକୁ ଦୁଇ ଓଳି ଅନ୍ନ ଯୋଗାଇବା ଅଭିଯାନ ଆରମ୍ଭ ହୋଇଛି । ବାହାରେ ବୁଲୁଥିବା ଅସହାୟଙ୍କ ହାତ ସାବୁନରେ ଧୋଇ ଦେବା ସହ ମଧ୍ୟାହ୍ନରେ ଓ ରାତିରେ ଭୋଜନ ଦିଆଯାଇଛି । ପଶ୍ଚିମବଙ୍ଗରୁ ଆସି ନିର୍ମାଣ କାମରେ ନିୟୋଜିତ ଥିବା ୧୮ଜଣ କାମଧନ୍ଦା ନ ପାଇ ଭୋକରେ ଥିଲେ । ସେମାନଙ୍କୁ ମାଗଣାରେ ଖାଦ୍ୟ ଦିଆଯାଇଛି । ସେହିପରି ଏସ୍‌ପି ଦେବୀପ୍ରସାଦ ଦାଶଙ୍କ ଦ୍ୱାରା ଗତ ୬ ମାସ ହେବ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ମଧ୍ୟାହ୍ନରେ ଖାଦ୍ୟ ଦିଆଯାଉଥିଲା । ଲକ୍‌ ଡାଉନ୍‌ କଟକଣା ଯୋଗୁଁ ଆହାର କେନ୍ଦ୍ର ପକ୍ଷରୁ ଶନିବାର ଠାରୁ ଅନ୍ତେବାସୀଙ୍କୁ ରାତିରେ ରନ୍ଧା ଖାଦ୍ୟ ଦିଆଯାଇଛି । ଅନ୍ତେବାସୀଙ୍କୁ ଏବେ ପ୍ରତିଦିନ ଦୁଇ ଓଳି ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଆହାର କେନ୍ଦ୍ରର ତତ୍ତ୍ୱାବଧାରକ ଶ୍ରୀବତ୍ସ ମଲ୍ଳିକ ସୂଚନା ଦେଇଛନ୍ତି।