Categories: ଖେଳ

ଭୋକାନାଲଙ୍କ ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର

ନୂଆଦିଲ୍ଲୀ, ୨୩ା୧ (ପି.ଟି.)- ରୋଇଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଆର୍‌ଏଫ୍‌ଆଇ) ଗୁରୁବାର ରୋୟର ଦାତୁ ଭୋକାନାଲଙ୍କ ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର କରିଛି। ୨୦୧୮ ଏସିଆନ ଗେମ୍‌ରେ କୌଣସି ଯୁକ୍ତିଯୁକ୍ତ କାରଣ ନ ଥାଇ ରେସ୍‌ ଅଧାରୁ ଓହିରିଯାଇଥିଲେ। ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରିନ୍ଦର ବାତ୍ରାଙ୍କ ହସ୍ତକ୍ଷେପ ଯୋଗୁ ଏହା ସମ୍ଭବ ହୋଇପାରିଛି। ଭୋକାନାଲ ଏସିଆନ ଗେମ୍ସର ପୁରୁଷ କ୍ୱାଡରପଲ ସ୍କଲ୍ସ ଇଭେଣ୍ଟରେ ଏକ ସ୍ବର୍ଣ୍ଣ ଜିତିଥିବା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ। ସେ ପରେ ସିଙ୍ଗଲ୍ସ ସ୍କଲ୍ସ ଇଭେଣ୍ଟରେ ଭାଗ ନେଇଥିଲେ। ସେ ଆକସ୍ମିକ ରେସ୍‌ ଅଧାରୁ ଓହରିଯାଇଥିଲେ। ତାଙ୍କୁ ପଚରାଯିବାରେ ସେ କହିଥିଲେ। ସେଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିଲା। ବୋଟ୍‌ଟି ମଧ୍ୟ ଓଲଟି ପଡ଼ିଥିଲା। ମାତ୍ର ଆରଏଫ୍‌ଆଇ ରୋୟରଙ୍କ ଏହି ଉତ୍ତରରେ ସନ୍ତୁଷ୍ଟ ନ ଥିଲା। ଭୋକାନାଲଙ୍କୁ ଗତ ବର୍ଷ ମାର୍ଚ୍ଚ ମାସରୁ ୨ବର୍ଷ ସସ୍‌ପେଣ୍ଡ କରିଥିଲା। ପରବର୍ତ୍ତୀ କାଳରେ ବାତ୍ରା ଏଥିରେ ହସ୍ତକ୍ଷେପ କରି ନିଷ୍ପତ୍ତିର ସମୀକ୍ଷା କରିବା ଲାଗି କହିଥିଲେ। ଆରଏଫ୍‌ଆଇ ଗୁରୁବାରଠାରୁ ତାଙ୍କ ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର କରିବା ସହ ଆସନ୍ତା ଏପ୍ରିଲ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ କୋରିଆର ଚାଙ୍ଗଜୁଠାରେ ହେବାକୁଥିବା ଅଲିମ୍ପିକ କ୍ୱାଲିଫିକେଶନ ରେଗାଟା ପାଇଁ ପ୍ରସ୍ତୁତ ହେବା ଲାଗି ପରାମର୍ଶ ଦେଇଛି।

Share