ଭୋକରେ ଦିନ କାଟୁଛନ୍ତି ଦାଦନ

ନୂଆପଡା ଅଫିସ,୧୪ା୪ – କରୋନା କଟକଣା ଯୋଗୁ ରାଜ୍ୟ ବାହାରେ ନୂଆପଡା ଜିଲାର ହଜାର ହଜାର ଦାଦନ ଶ୍ରମିକ ଅଟକି ରହିଛନ୍ତି। ସେମାନଙ୍କୁ କୌଣସି ପ୍ରକାର ସହାୟତା ଦିଆଯାଉ ନ ଥିବାରୁ ସେମାନେ ଭୋକ ଉପାସରେ କାଳ କାଟୁଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଲକ୍‌ଡାଉନ ପୂର୍ବରୁ ଅନୂ୍ୟନ ୪ ହଜାର ଦାଦନ ଶ୍ରମିକ ନୂଆପଡା ଜିଲାରେ ପହଞ୍ଚିଥିବା ବେଳେ ବିଭିନ୍ନ ଜାଗାରେ କ୍ୱାରାଣ୍ଟାଇନରେ ରହିଥିଲେ। ଏମାନଙ୍କୁ ବାଦ୍‌ ଦେଇ ଆହୁରି ଦଶ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଆନ୍ଧ୍ରପ୍ରଦେଶ, ବମ୍ବେ, ତେଲଙ୍ଗାନା, ଗୁଜୁରାଟ ଆଦି ରାଜ୍ୟରେ ଅଟକି ରହିଛନ୍ତି। ଏହି କ୍ରମରେ ନୂଆପଡା ସମେତ ପଡୋଶୀ ବରଗଡ ଜିଲାର ପ୍ରାୟ ୬୦ଜଣ ଶ୍ରମିକ ବମ୍ବେ ଶିବାଜୀ ଛତ୍ରପତି ବିମାନ ବନ୍ଦର ନିକଟ ଏକ କମ୍ପାନୀରେ ଅଟକି ରହିଛନ୍ତି। ଲକଡାଉନ ପରେ ସେଠାକାର ଇଟାଭାଟି ମାଲିକମାନେ ଶ୍ରମିକମାନଙ୍କୁ ସହାୟତା ଦେବା ବଦଳରେ ଇଟାଗଢା ସହ ବିଭିନ୍ନ କାମରେ ନିୟୋଜିତ କରିଛନ୍ତି। ଠିକ ସମୟରେ ଖାଇବା ଏବଂ କୌଣସି ପ୍ରକାର ଚିକିତ୍ସା ଖର୍ଚ୍ଚ ମଧ୍ୟ ଦିଆଯାଉ ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ସେମାନେ ଦିନକୁ ଓଳିଏ ଖାଇ ଦିନ କାଟୁଛନ୍ତି। ସେହିଭଳି ଆନ୍ଧ୍ରପ୍ରଦେଶର ବିଜୟୱାଡା ଜିଲା ମଛର୍ଲା ଇଟାଭାଟିରେ କୋମନା ବ୍ଲକ କାଣ୍ଡେତରା ଗାଁର ଶିଶୁ ମହିଳାଙ୍କ ସମେତ ୫୮ଜଣ ଶ୍ରମିକ ଅଟକି ରହିଛନ୍ତି। କରୋନା ଭୟରେ ଶ୍ରମିକମାନେ ଦିନ ରାତି ଚିନ୍ତାରେ ରହିଥିବାବେଳେ ମାଲିକ ଦିନକୁ ୧୨/୧୩ଘଣ୍ଟା ଇଟାଗଢା କାମରେ ନିୟୋଜିତ କରୁଥିବା ଶ୍ରମିକ ଧ୍ୟାନଚାନ୍ଦ ସତନାମୀ ଫୋନ ଯୋଗେ ଜଣାଇଛନ୍ତି । ସେହିଭଳି ଗୁଜୁରାଟର ଏକ କମ୍ପାନୀରେ ମଧ୍ୟ ଶ୍ରମିକମାନେ ଅଟକ ରହିଛନ୍ତି । ସେମାନଙ୍କର ଅସୁବିଧାକୁ ନେଇ ସରକାରଙ୍କ ତରଫରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବରକୁ ଯୋଗାଯୋଗ କଲେ ମଧ୍ୟ କୌଣସି ଉତ୍ତର ମିଳୁ ନ ଥିବା ଶ୍ରମିକ ନେତା ବାଦଲ କୁମାର ଫୋନ ଯୋଗେ କହିଛନ୍ତି । ଏହା ଉପରେ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।