ଭୋକରେ ଡହଳବିକଳ ମାନସିକ ରୋଗୀ

ପାଲଲହଡା,୨୭ା୩(ଡି.ଏନ.ଏ.): ଲକ୍‌ଡାଉନ୍‌ ପାଇଁ ବଜାର ବନ୍ଦ। ଚା’ ଦୋକାନଠାରୁ ହୋଟେଲ ଯାଏ ସବୁଥିରେ ପଡ଼ିଛି ତାଲା। ଲୋକେ ଘରୁ ବାହାରୁ ନ ଥିବା ବେଳେ କାମ ନ ପାଇ ଦିନ ମଜୁରିଆ ଘରେ ବସି ରହିଛନ୍ତି। ହେଲେ ଅନୁଗୋଳ ଜିଲା ପାଲଲହଡ଼ା ବଜାରରେ ବର୍ଷ ବର୍ଷ ଧରି ବୁଲୁଥିବା ୧୦ରୁ ଊର୍ଦ୍ଧ୍ୱ ମାନସିକ ରୋଗୀଙ୍କ ଅବସ୍ଥା ଏବେ ଅତ୍ୟନ୍ତ ଦୟନୀୟ। ଅନ୍ୟର ହାତଟେକା ନ ହେଲେ ଅଇଁଠା ଖାଇ ଏମାନେ ବଞ୍ଚୁଥିବା ବେଳେ ଏବେ ସେମାନଙ୍କୁ ଖାଦ୍ୟ ଦେବାକୁ କେହି ନାହିଁ। ଦୈନିକ ବିଭିନ୍ନ ହୋଟେଲ କି ଚା’ ଦୋକାନ ସମ୍ମୁଖରେ ଏମାନଙ୍କୁ ଘଣ୍ଟା ଘଣ୍ଟା ଧରି ଠିଆ ହେଉଥିବା ଦେଖିବାକୁ ମିଳୁଥିଲା। ମଧ୍ୟାହ୍ନରେ ଓ ରାତିରେ ବଳକା ଖାଦ୍ୟ ଦୋକାନୀ ଦେଲେ ସେମାନଙ୍କ ପେଟ ପୂରୁଥିଲା। କିଛି ନ ହେଲେ ବି ଡଷ୍ଟବିନ୍‌ରେ ଫୋପାଡ଼ି ଦିଆଯାଉଥିବା ବାସି ଖାଦ୍ୟ ସେମାନଙ୍କ ଭୋକ ମେଣ୍ଟାଉଥିଲା। ହେଲେ ଲକ୍‌ଡାଉନ୍‌ ଯୋଗୁ ସେପରି କିଛିର ସମ୍ଭାବନା ନାହିଁ। କରୋନା ମହାମାରୀ କବଳରୁ କେମିତି ନିଜ ପରିବାରକୁ ରକ୍ଷା କରିବେ ସେହି ଚିନ୍ତାରେ ଲୋକେ ବ୍ୟସ୍ତ ଥିବାବେଳେ ପ୍ରଶାସନ ସରକାରୀ ଆଦେଶ ଓ ସାମାଜିକ ଦୂରତା କିପରି ପାଳନ କରାଯିବ ତାହା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଏପରି ପରିସ୍ଥିତିରେ ଭୋକରେ ଆଉଟୁପାଉଟୁ ହେଉଥିବା ଏହି ମାନସିକ ରୋଗୀଙ୍କ କଥା ବୁଝିବାକୁ ସମସ୍ତେ ଯେପରି ଭୁଲିଯାଇଛନ୍ତି। ଏ ସମ୍ପର୍କରେ ପାଲଲହଡ଼ା ବିଡିଓ ରବିନାରାୟଣ ମାଝି କହିଛନ୍ତି, ଉପଜିଲାପାଳଙ୍କ ସହ ଆଲୋଚନା କରାଯାଇ ମାନସିକ ରୋଗୀମାନଙ୍କୁ କିପରି ଖାଦ୍ୟ ଯୋଗାଇ ଦିଆଯିବ ତାହାର ବ୍ୟବସ୍ଥା କରାଯିବ।