ଭେଡେନ ଗଣବଳାତ୍କାର, ହତ୍ୟା ମାମଲା: ତତ୍କାଳୀନ ଆଇଆଇସିଙ୍କ ସମେତ ୮ ଜଣଙ୍କ ନାଁରେ ମାମଲା

କଟକ ଅଫିସ, ୧୩।୧୦: ବରଗଡ଼ ଜିଲା ଭେଡେନ ଥାନା ଅଞ୍ଚଳରେ ୨୦୧୬ରେ ୩ ମହିଳାଙ୍କୁ ଅପହରଣ ଓ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ୩ ବର୍ଷ ପରେ ଅର୍ଥାତ୍‌ ଗତ ୩ ତାରିଖରେ ଭେଡେନ ଥାନାର ତତ୍କାଳୀନ ଆଇଆଇସି ମମତା ନାଏକ, ଏସ୍‌ଆଇ ଦିଲୀପ କୁମାର ବେହେରା, ୨ ପୋଲିସ କର୍ମଚାରୀ ଓ ୪ଜଣ ବ୍ୟକ୍ତିଙ୍କ ବିରୋଧରେ ଉକ୍ତ ଥାନାରେ ମାମଲା ରୁଜୁ ହୋଇଛି। ଥାନା ପରିସରରେ ଗଣବଳାତ୍କାର ଘଟିଥିବା ଅଭିଯୋଗରେ ପୋଲିସ ଆଇପିସି ଦଫା ୩୬୩, ୩୭୬(୨)(ଏ), ୩୭୬-ଡିରେ ଏକ ମାମଲା(ନଂ.୧୬୫/୧୯) ରୁଜୁ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ପ୍ରଜାକୋର୍ଟ ଦ୍ୱାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର ତିନି ମହିଳାଙ୍କୁ ୨୦୧୬ ସେପ୍ଟେମ୍ବର ୨୩ରେ ଭେଡେନ୍‌ ଥାନାର କେତେଜଣ ପୋଲିସ କର୍ମଚାରୀ ଭ୍ୟାନ୍‌ରେ ଘରୁ ଉଠାଇ ନେଇଥିଲେ। ପରେ ସେମାନଙ୍କୁ ବଳାତ୍କାର କରାଯାଇଥିଲା। ଏହାପରେ ପୀଡ଼ିତାମାନଙ୍କୁ ପୋଲିସ ଗଁା ଲୋକଙ୍କ ଜିମା ଦେଇଥିଲା। ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ସେମାନଙ୍କୁ ୧୦ ଦିନ ଜଙ୍ଗଲରେ ରଖି ବଳାତ୍କାର କରିଥିଲେ। ପୀଡିତାଙ୍କ ମଧ୍ୟରୁ ଜଣେ ଖସି ଆସିଥିଲା ବେଳେ ଆଉ ଦୁଇଜଣଙ୍କୁ ସେମାନେ ହତ୍ୟା କରିଥିଲେ। ଖସି ଆସିଥିବା ମହିଳାଙ୍କ ଦେଢ଼ଶୁରର ବରଗଡ ଏସ୍‌ପିଙ୍କୁ ୨୦୧୭ ମେ ୫ରେ ଡାକ ଯୋଗେ ଅଭିଯୋଗପତ୍ର ପଠାଇଥିଲେ। ହେଲେ ଅଭିଯୋଗକାରୀଙ୍କୁ ୨୦୧୭ ଜୁଲାଇ ୧୯ରେ ହତ୍ୟା କରାଯାଇଥିଲା। ପୋଲିସ ଉଭୟ ଘଟଣାରେ କୌଣସି ମାମଲା ରୁଜୁ କରି ନ ଥିଲା। ତେବେ ଅଭିଯୁକ୍ତଙ୍କ କବଳରୁ ଖସି ଆସିଥିବା ମହିଳା ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଜରିଆରେ ଓଡ଼ିଶା ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାରେ ସମ୍ପୃକ୍ତ ପୋଲିସ କର୍ମଚାରୀ ଓ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଓଏଚ୍‌ଆର୍‌ସି ବରଗଡ଼ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଏହି ମାମଲା ରୁଜୁ ହୋଇଛି।