ଭୂତକୋଠି ପାଲଟିଛି ଆଦିବାସୀ ବାଳକ ଶିକ୍ଷାଶୌଧ

ଚନ୍ଦ୍ରଗିରି,୪ା୧୦(ଡି.ଏନ.ଏ.)- ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ଜରିଆରେ ଧାଡିଆମ୍ବ ପଞ୍ଚାୟତର ପଲାବନ୍ଧା ଗାଁରେ ୨୦୧୩-୧୪ ଆର୍ଥିକ ବର୍ଷରେ ଆଦିବାସୀ ଛାତ୍ରଙ୍କ ଶିକ୍ଷାର ବିକାଶ ଲକ୍ଷ୍ୟରେ ନିର୍ମାଣ ହୋଇଥିଲା ୨ଶହ ଆସନ ବିଶିଷ୍ଟ ବାଳକ ଶିକ୍ଷା ଶୌଧ। ପଲାବନ୍ଧା ଗ୍ରାମର ମୋଟ ୮ ଏକର ଜମିରେ ଏହା ନିର୍ମାଣ କରାଯାଇଥିଲା। ଅଞ୍ଚଳର ଆଦିବାସୀମାନେ ନିଜ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନେଇ ସ୍ବପ୍ନ ଦେଖିଥିଲେ। ହେଲେ ବିଡମ୍ବନାର ବିଷୟ ନିର୍ମାଣର ୩ବର୍ଷ ପରେ ମଧ୍ୟ ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ଏହା କାର୍ଯ୍ୟକ୍ଷମ ହୋଇ ନ ପାରି ଭୂତକୋଠି ପାଲଟିଛି। କେଉଁଠି କାନ୍ଥ ଫାଟି ଆଁ କଲାଣି ତ ଆଉ କେଉଁଠି ଘର ଭିତରେ ଊଇହୁଙ୍କା ହୋଇଗଲାଣି। ବିଦ୍ୟୁତ, ପାନୀୟ ଜଳ ଯୋଗାଣ ପାଇଁ ଲଗାଯାଇଥିବା ସରଞ୍ଜାମ ଚୋରୀ ହେବାସହ ପାଚେରି ମଧ୍ୟ ଭାଙ୍ଗିଗଲାଣି। ଏବେ ଏହା ଅସାମାଜିକଙ୍କ ଆଡ୍ଡାସ୍ଥଳୀ ଓ ଗୋରୁଙ୍କ ଚରାଭୂଇଁ ପାଲଟିଛି। ଏହାକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଧାଡିଆମ୍ବ ନାଏବ ସରପଞ୍ଚ ପୂର୍ଣ୍ଣିମା ଗମାଙ୍ଗ, ସମ୍ବରା ରଇତ, ହେମାବତୀ ଗମାଙ୍ଗ, ସୁକାନ୍ତ ଦଳାଇ ପ୍ରମୁଖ ବିଭାଗୀୟ ଅଧୀକାରୀ ଓ ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି।
ଏନେଇ ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ସ୍ବତନ୍ତ୍ର ପଦାଧିକାରୀ ଦମିନିକ ଟପ୍ପୋଙ୍କୁ ପଚାରିବାରୁ କୋଠା ଭଲ ଅଛି, ସମସ୍ୟା ନେଇ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି, ନିର୍ଦ୍ଦେଶ ମିଳିଲେ ଶିକ୍ଷକ ନିଯୁକ୍ତ କରାଯାଇ ପାଠପଢା ଆରମ୍ଭ ହେବ। ଅପରପକ୍ଷେ ବିଲ୍‌ଡିଂ କାମ ସରିଥିବା ସରକାରଙ୍କୁ ଜଣାଇ ଦିଆଯାଇଛି, ନିର୍ଦ୍ଦେଶ ଆସିଲେ ଏହାକୁ କାର୍ଯ୍ୟକ୍ଷମ କରାଯିବ ଏବଂ ରକ୍ଷଣାବେକ୍ଷଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଗଜପତି ଜିଲାପାଳ ଅନୁପମ ସାହା।