ଭୁଲ ଇଞ୍ଜେକ୍‌ସନ ଦେବାରୁ ନାବାଳିକା ମୃତ : କ୍ଲିନିକ୍‌ରେ ଭଙ୍ଗାରୁଜା, ଡାକ୍ତର ଅଟକ

ନିଆଳି,୨୬ା୮(ଡି.ଏନ୍‌.ଏ.)ନିଆଳି ଥାନା ଅଧୀନ ନିଆଳି ପବ୍ଲିକ କ୍ଲିନିକ୍‌ରେ ରବିବାର ଅପରାହ୍ନରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଲିପାଟଣା ଥାନା ଅଧୀନ ଦରଡା ଗ୍ରାମର କ୍ରିଷ୍ଣା ନାୟକ(୭)। ଡାକ୍ତର ଭୁଲ୍‌ ଇଞ୍ଜେକଶନ ଦେବାରୁ କ୍ରିଷ୍ଣାଙ୍କ ମୃତ୍ୟୁ ଘଟିଲା ବୋଲି ତାଙ୍କ ମାଆ ରୀତା ନାୟକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେବା ସହ ଉତ୍ତ୍ୟକ୍ତ ଲୋକେ କ୍ଲିନିକରେ ଭଙ୍ଗାରୁଜା କରିଥିଲେ। ଖବରପାଇ ପୋଲିସ ପହଞ୍ଚି ସମ୍ପୃକ୍ତ ଡାକ୍ତରଙ୍କୁ ଥାନାକୁ ଆଣିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ରହିଥିଲା।
ମିଳିଥିବା ସୂଚନା ଅନୁଯାୟୀ, କ୍ରିଷ୍ଣା ଆଜ୍‌ମା ରୋଗରେ ପୀଡିତ ଥିଲେ। ଚିକିତ୍ସାଲାଗି ତାଙ୍କୁ ରବିବାର ଉକ୍ତ କ୍ଲିନିକ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା କରୁଥିବା ଡା. ରାଧାକାନ୍ତ ପଣ୍ଡା ତାଙ୍କୁ ଇଞ୍ଜେକଶନ ଦେଇଥିଲେ। ପରେ କ୍ରିଷ୍ଣା ଆହୁରି ଅସୁସ୍ଥ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ତୁରନ୍ତ ନିଆଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହୋଇଯିବା ପରେ ମୃତା କ୍ରିଷ୍ଣାଙ୍କ ପରିବାର ଲୋକେ ଓ ସମ୍ପର୍କୀୟମାନେ ଉକ୍ତ କ୍ଲିନିକ୍‌ରେ ପହଞ୍ଚି ଭଙ୍ଗାରୁଜା କରିଥିଲେ। ଅଭିଯୋଗ ପରେ ପୋଲିସ ଏକ ମାମଲା(ନଂ.୧୯୬/୧୯) ରୁଜୁ କରିବା ସହ ସମ୍ପୃକ୍ତ ଡାକ୍ତରଙ୍କୁ ଅଟକ ରଖି ତଦନ୍ତ କରୁଥିବା ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ କହିଛନ୍ତି। ଅନ୍ୟପକ୍ଷରେ ଡା. ପଣ୍ଡା କହିଛନ୍ତି, ପିଲାଟି ଆଜ୍‌ମା ରୋଗରେ ପିଡିତ ଥିବାରୁ ତାଙ୍କୁ ଡିଓସେଫ୍‌ ୭୫୦ ଓ ଡେକ୍ସାମିଥାଜୋନ୍‌ ଇଞ୍ଜେକ୍‌ସନ୍‌ ଦିଆଯାଇଥିଲା। ହେଲେ ଝିଅର ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। କେତେଜଣ ଲୋକ ଆକ୍ରୋଶମୂଳକ ଭାବେ ମୋତେ ଦୋଷ ଦେଉଛନ୍ତି। ଝିଅର ମୃତ୍ୟୁ ପରେ ମୋତେ କେତେଜଣ ଲୋକ ଏଥିପାଇଁ ବହୁତ ଅର୍ଥ ମାଗୁଥିଲେ। ମୁଁ ନ ଦେବାରୁ ମୋ ବିରୋଧରେ ଏଭଳି ଷଡଯନ୍ତ୍ର କରାଯାଇଛି।