Categories: ଫୁରସତ

ଭୁଲ ଇଞ୍ଜେକସନ୍‌ ନେଇ ଜନ୍ମ ଦେଇଥିଲେ ଝିଅ, ଦମ୍ପତିଙ୍କୁ ମିଳିଲା ୭୪ କୋଟି ଟଙ୍କା

ଆମେରିକାର ସିଏଟଲରେ ଏକ ରୋଚକ ଘଟଣା ଘଟିଛି। ଏଠାକାର କୋର୍ଟ ଏକ ଦମ୍ପତିଙ୍କୁ ୭୪ କୋଟି ଟଙ୍କାର ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ମହିଳା ଜନ୍ମ ନିୟନ୍ତ୍ରଣ ଇଞ୍ଜେକସନ୍‌ ନେବାକୁ ଏକ କମ୍ପ୍ୟୁନିଟି କ୍ଲିନିକ୍‌ ଯାଇଥିଲେ। ସେଠାରେ ନର୍ସ ତାଙ୍କୁ ଏକ ଫ୍ଲୁ ସର୍ଟ ଇଞ୍ଜେକସନ୍‌ ଦେଇଥିଲେ। ଭୁଲ ଇଞ୍ଜେକସନ ନେବା ପରେ ମହିଳା ଜଣଙ୍କ ଏକ ଦିବ୍ୟାଙ୍ଗ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ୟେସେନିଆ ପଚେକୋ ନାମକ ଏହି ମହିଳା ଜଣଙ୍କ ୨ଟି ସନ୍ତାନ ଥିବାରୁ ଆଉ ମା’ ହେବାକୁ ଚାହୁଁ ନଥିଲେ। ସେଥିପାଇଁ ସେ ଜନ୍ମ ନିୟନ୍ତ୍ରଣ ଇଞ୍ଜେକସନ୍‌ ନେବାକୁ କ୍ଲିନିକ୍‌ ଯାଇଥିଲେ। ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁ ମହିଳା ଜଣଙ୍କ ପୁଣି ଗର୍ଭବତୀ ହେବା ସହ ଏକ ଦିବ୍ୟାଙ୍ଗ ଶିଶୁ ଜନ୍ମ ଦେଇଥିଲେ। ଏହାପରେ ସେ ନ୍ୟାୟ ପାଇଁ କୋର୍ଟର ଆଶ୍ରୟ ନେଇଥିଲେ। ୫ ବର୍ଷ ପର୍ଯ୍ୟନ୍ତ କୋର୍ଟରେ ଲଢିବା ପରେ ତାଙ୍କୁ ନ୍ୟାୟ ମିଳିଥିଲା। ସେ ଏକ ସରକାରୀ କ୍ଲିନିକ୍‌ରେ ଇଞ୍ଜେକସନ୍‌ ନେଇଥିବାରୁ ଆମେରିକୀୟ ସଂଘୀୟ ସରକାର ଏଥିପାଇଁ ଦାୟୀ ବୋଲି କୋର୍ଟ କହିଥିଲେ। କୋର୍ଟ ଝିଅଟିର ପାଠପଢା, ଚିକିତ୍ସା, ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୫୫ କୋଟି ଟଙ୍କା ଏବଂ ଦମ୍ପତିଙ୍କ କ୍ଷତିପୂରଣ ବାବଦକୁ ୧୮ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୟେସେନିଆ ପଚେକୋ ଜଣେ ଶରଣାର୍ଥୀ ଭାବେ ଦୀର୍ଘ ୧୬ ହେବ ଆମେରିକାରେ ରହିଆସୁଛନ୍ତି।

Share