ଭୁବନ ସ୍ବାସ୍ଥ୍ୟକେନ୍ଦ୍ରରେ ପଶିଲା ବର୍ଷାପାଣି

ଭୁବନ, ୭।୮(ଡି.ଏନ୍‌.ଏ.)-ଲଘୁଚାପ ପ୍ରଭାବରେ ମଙ୍ଗଳବାର ସନ୍ଧ୍ୟାରେ ଭୁବନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ସ୍ବାସ୍ଥ୍ୟସେବା ଉପରେ। ଡାକ୍ତରଖାନାରେ ବର୍ଷାଜଳ ପଶିଛି। ରାତି ୯ଟା ସୁଦ୍ଧା ରୋଗୀଙ୍କ ଓ୍ବାର୍ଡ, ଅପରେଶନ ଥିଏଟର, ଲେବର ରୁମ୍‌, ବାରଣ୍ଡାରେ ପାଣି ଜମିରହିଛି। ଫଳରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିବା ୨ଜଣ ଆସନ୍ନ ପ୍ରସବା ବାଧ୍ୟ ହୋଇ ଫେରିଯାଇଛନ୍ତି। ଏପରି ଅବ୍ୟବସ୍ଥାକୁ ନେଇ ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଜିଲାର ଅନ୍ୟତମ ପୁରାତନ ଚିକିତ୍ସାଳୟ ହେଉଛି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଏହା ଉପରେ ଭୁବନ ବ୍ଲକ, ଏନ୍‌ଏସି ସମେତ ସୀମାନ୍ତ ଯାଜପୁର ଜିଲାର ହଜାର ହଜାର ରୋଗୀ ନିର୍ଭର କରୁଛନ୍ତି। ତେବେ ସାମାନ୍ୟ ବର୍ଷା ହେଲେ ରୋଗୀ ଯନ୍ତ୍ରଣା ଭୋଗୁଛନ୍ତି। ଏହାର କାରଣ ଢାଞ୍ଚାଗତ ନିର୍ମାଣ ତ୍ରୁଟି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଖାଲୁଆ ଜମିରେ ଡାକ୍ତରଖାନା ତିଆରି କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ଚତୁଃପାର୍ଶ୍ୱରେ ଉଚ୍ଚ ରାସ୍ତା ନିର୍ମାଣ କରାଯାଇଛି। ସାମାନ୍ୟ ବର୍ଷା ହେଲେ ନର୍ଦ୍ଦମା ପାଣି ପଶି ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ବାରମ୍ବାର ଦାବିସତ୍ତ୍ୱେ ଏହାର ପ୍ରତିକାର କରାଯାଉନାହିଁ। ଫଳରେ ସଂକ୍ରମଣ ଆଶଙ୍କା ରହୁଥିବାରୁ ରୋଗୀମାନେ ଏଠାକୁ ଆସିବାକୁ ନାକ ଟେକୁଛନ୍ତି। ମଙ୍ଗଳବାର ମଧ୍ୟ ବର୍ଷା ପରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, ଦୀର୍ଘଦିନ ହେଲା ରୋଗୀ କଲ୍ୟାଣ ବୈଠକ ଡକାଯାଇନାହିଁ। ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ଆଲୋଚନା ହୋଇପାରୁ ନ ଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି। ଏହାର ପ୍ରତିକାର କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ରମେଶ ଚନ୍ଦ୍ର ସାହୁ କୁହନ୍ତି, ବର୍ଷା ହେଲେ ବିଭିନ୍ନ ଓ୍ବାର୍ଡରେ ପାଣି ପଶୁଛି। ସ୍ବାସ୍ଥ୍ୟକେନ୍ଦ୍ର ପଶ୍ଚିମପାର୍ଶ୍ୱ ଦେଇ ବର୍ଷାପାଣି ନିଷ୍କାସନ ବ୍ୟବସ୍ଥା କରାଯାଇପାରିବ। ହେଲେ ପାଚେରିକୁ ଲାଗି ରହିଥିବା ଦୋବୋତ୍ତର ବିଭାଗ ଜମିକୁ କେତେଜଣ ବ୍ୟକ୍ତି ଜବରଦଖଲରେ ରଖିଛନ୍ତି। ସେମାନେ ପାଣି ନିଷ୍କାସନ କରିବାକୁ ଦେଉନାହାନ୍ତି। ଏ ନେଇ ସିଡିଏମ୍‌ଓଙ୍କୁ ଅବଗତ କରାଯାଇଥିବା ସେ ସୂଚନା ଦେଇଛନ୍ତି।