Categories: ମେଟ୍ରୋ

ଭୁବନେଶ୍ୱରରେ ଲାଗିବ ୫୦୦ ୱାଇ-ଫାଇ ହଟ୍‌ସ୍ପଟ୍‌

ଭୁବନେଶ୍ୱର,୮।୭(ବ୍ୟୁରୋ) : ଭୁବନେଶ୍ୱର ସହର ଅଳ୍ପ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓ୍ବାଇ-ଫାଇ ସହର ହେବ। ସହରର ବିଭିନ୍ନ ସ୍ଥାନରେ ୫୦୦ରୁ ଅଧିକ ଓ୍ବାଇ-ଫାଇ ହଟ୍‌ସ୍ପଟ ଲଗାଯିବା ସହ ଲୋକଙ୍କୁ ୨ ଏମ୍‌ବିପିଏସ୍‌ ସ୍ପିଡରେ ଡାଟା ଯୋଗାଇ ଦିଆଯିବ। ‘ଭୁବନେଶ୍ୱର ମି’ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ। ଖୁବଶୀଘ୍ର ଏହାକୁ ଆରମ୍ଭ କରାଯିବ ବୋଲି କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ସଚିବ ଦୁର୍ଗାଶଙ୍କର ମିଶ୍ର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ସେ ଟୁଇଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ, ସ୍ମାର୍ଟସିଟି ଭୁବନେଶ୍ୱର ଖୁବଶୀଘ୍ର ମାଗଣା ୱାଇଫାଇ ସେବା ଆରମ୍ଭ ହେବ। ସ୍ମାର୍ଟସିଟିର ମୁଖ୍ୟ ରାସ୍ତାଗୁଡ଼ିକ ସହିତ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସ୍ଥାନରେ ଏହି ଫ୍ରି ୱାଇଫାଇ ସେବା ଉପଲବ୍ଧ ହେବ। ଏହାଦ୍ୱାରା ଭୁବନେଶ୍ୱେର ବାସିନ୍ଦାମାନେ ଡିଜିଟାଲ ମାଧ୍ୟମରେ ଯୋଡ଼ି ହୋଇପାରିବେ, ଆଉ ଇଣ୍ଟରନେଟ ସେବା ଲାଗି ହଇରାଣ ହେବାକୁ ପଡିବନି ବୋଲି ସେ ଉଲ୍ଲେଖ କରିଛନ୍ତି। ସୂଚନା ଥାଉକି, ୨୦୧୮ ନଭେମ୍ବର ୫ ରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏ ସମ୍ପର୍କରେ ଘୋଷଣା କରାଯାଇଥିଲା। ଉକ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୦୦ଟି ହଟ୍‌ସ୍ପଟର ଉଦ୍‌ଘାଟନ କରାଯାଇଥିବା ବେଳେ ୨୭୫ଟି ଆକ୍ସେସ୍‌ ପଏଣ୍ଟରେ ଏହା କାର୍ଯ୍ୟ କରୁଥିଲା। ଆଗାମୀ ଦିନରେ ଏହି ହଟସ୍ପଟ ସଂଖ୍ୟା ୫୧୮ରେ ଓ ଆକ୍ସେସ ପଏଣ୍ଟ ସଂଖ୍ୟା ୧୮ଶହରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେବେ ରବିବାର କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ସଚିବଙ୍କ ଟୁଇଟ ପରେ ଖୁବ୍‌ଶୀଘ୍ର ଭୁବନେଶ୍ୱର ଓ୍ବାଇ-ଫାଇ ସହର ହେବ ବୋଲି ଜଣାପଡ଼ିଛି।