ଭୁବନେଶ୍ୱରରେ ରୋବୋଟିକ୍‌ ରେଷ୍ଟୁରାଣ୍ଟ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ରେଷ୍ଟୁରାଣ୍ଟରେ ଓ୍ବେଟର୍‌ଙ୍କ ସ୍ଥାନରେ ରୋବୋ। ଓଡ଼ିଆରେ କଥା ହେବାସହ ରେଷ୍ଟୁରାଣ୍ଟ ମଧ୍ୟକୁ ସ୍ବାଗତ କରୁଛି। ଅର୍ଡର ନେବା ସହ ଖାଦ୍ୟ ମଧ୍ୟ ପରଷୁଛି। ଗ୍ରାହକଙ୍କ ଭଲମନ୍ଦ କଥା ବି ପଚାରି ବୁଝୁଛି। ଭୁବନେଶ୍ୱରରେ ବୁଧବାର ଖୋଲିଥିବା ପୂର୍ବ ଭାରତର ପ୍ରଥମ ରୋବୋଟିକ୍‌ ରେଷ୍ଟୁରାଣ୍ଟରେ ଗ୍ରାହକ ଏଭଳି ଅନୁଭୂତି ସାଉଁଟିବାର ସୁଯୋଗ ପାଇଛନ୍ତି। ବିଶ୍ୱାସ ନ ହେଉଥିଲେ ବି ଓଡ଼ିଶାବାସୀଙ୍କୁ ପ୍ରଥମଥର ପାଇଁ ନିଆରା ଅନୁଭବ ଦେବାକୁ ଇନ୍‌ଫୋସିଟି ଅଞ୍ଚଳରେ ଖୋଲିଛି ଏହି ଅତ୍ୟାଧୁନିକ ରେଷ୍ଟୁରାଣ୍ଟ୍‌ ‘ରୋବୋସେଫ୍‌’। ତାହା ପୁଣି ସମ୍ପୂର୍ଣ୍ଣ ‘ମେଡ୍‌ ଇନ୍‌ ଇଣ୍ଡିଆ’ କନ୍‌ସେପ୍ଟରେ। କୌଣସି ବିଦେଶୀ କିମ୍ବା ଚାଇନିଜ୍‌ ରୋବୋ ନୁହେଁ, ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରୋବୋ ‘ଚମ୍ପା’ ଓ ‘ଚମେଲି’ ଏହି ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ରନ୍ଧା ଖାଦ୍ୟ ପରସୁଛନ୍ତି। ୨୦୧୭ରେ ଚେନ୍ନାଇରେ ଭାରତର ପ୍ରଥମ ରୋବୋଟିକ୍‌ ରେଷ୍ଟୁରାଣ୍ଟ ଖୋଲିଥିଲା। ଏହାପରେ ବାଙ୍ଗାଲୋର ଏବଂ କେରଳର କନ୍ନୁର୍‌ରେ ଆଉ ଦୁଇଟି ରୋବୋଟିକ୍‌ ରେଷ୍ଟୁରାଣ୍ଟ ଖୋଲିବା ପରେ ଗ୍ରାହକମାନେ ଓ୍ବେଟର୍‌ ପରିବର୍ତ୍ତେ ରୋବୋ ଦ୍ୱାରା ଖାଦ୍ୟ ଏବଂ ପାନୀୟ ଗ୍ରହଣ କରିଥିଲେ।

ଏହୁ ପ୍ରମୁଖ ସହରଗୁଡ଼ିକ ପରେ ଭୁବନେଶ୍ୱରରେ ରୋବୋଟିକ୍‌ ରେଷ୍ଟୁରାଣ୍ଟ ଖୋଲିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଓଡ଼ିଶା ଜନ୍ମିତ ସିଭିଲ୍‌ ଇଞ୍ଜିନିୟର ଜିତ୍‌ ବାସାଙ୍କ ପ୍ରଚେଷ୍ଟାରେ ଇନ୍‌ଫୋସିଟି ଅଞ୍ଚଳରେ ଥିବା ଡିଏଲ୍‌ଏଫ୍‌ ଟାଓ୍ବାରରେ ଏହି ରୋବୋଟିକ୍‌ ରେଷ୍ଟୁରାଣ୍ଟ୍‌ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ରୋବୋ ଚମ୍ପା ଓ ଚମେଲି ରାଜସ୍ଥାନ ଜୟପୁରସ୍ଥିତ ଏକ କମ୍ପାନୀ ଦ୍ୱାରା ନିର୍ମିତ ହୋଇଛି। ଭଏସ୍‌ ଅପରେଟେଡ୍‌ ସିଷ୍ଟମ ଦ୍ୱାରା ପରିଚାଳିତ ଏହି ରୋବୋ ଇଂଲିଶ ସହ ଓଡ଼ିଆରେ ଗ୍ରାହକଙ୍କ ସହ କଥାବାର୍ତ୍ତା ହୋଇପାରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଡାଏଲଗ୍‌ ‘ଆପଣମାନେ ଖୁସି ତ’ କହି ଗ୍ରାହକଙ୍କୁ ସେମାନଙ୍କ ଭଲମନ୍ଦ ପଚାରୁଛନ୍ତି।
ଭୁବନେଶ୍ୱରରେ ରେଷ୍ଟୁରାଣ୍ଟ ଏବଂ ଇଟିଂ ଆଉଟ୍‌ କଲ୍‌ଚର ଧୀରେ ଧୀରେ ଲୋକପ୍ରିୟ ହେଉଥିବା ବେଳେ ଏଭଳି ଏକ ଅଭିନବ ରେଷ୍ଟୁରାଣ୍ଟ ନିଶ୍ଚିତ ଭାବେ ସବୁବର୍ଗର ଲୋକଙ୍କୁ ଆକୃଷ୍ଟ କରିବ। ଖାଦ୍ୟ ଏବଂ ଟେକ୍ନୋଲୋଜିରେ ଆଗ୍ରହ ରଖିଥିବା ଜିତ୍‌ କାଲିଫର୍ନିଆ ଷ୍ଟେଟ୍‌ ୟୁନିଭର୍ସିଟିରୁ ସିଭିଲ୍‌ ଇଞ୍ଜିନିୟରିଂରେ ପୋଷ୍ଟ୍‌ ଗ୍ରାଜୁଏଟ୍‌ କରିଛନ୍ତି। ଏହାପରେ ସେଠାରେ ସେ ଚାକିରି କରିଥିଲେ ମଧ୍ୟ ନିଜ ପ୍ୟାଶନକୁ ଅନୁସରଣ କରି ଭାରତ ଫେରିବା ସହ ଭୁବନେଶ୍ୱରରେ ନିଜସ୍ବ ରେଷ୍ଟୁରାଣ୍ଟ ଖୋଲିଛନ୍ତି।