ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଭୁବନେଶ୍ୱର, କଟକ ଓ ଭଦ୍ରକ ୩ଟି ସହରରେ ରବିବାର ରାତି ରାତି ୮ଟା ରେ ସଟ୍ ଡାଉନ୍ ହଟିବ। ସଟ୍ ଡାଉନ୍ ସମୟରେ ଯେଉଁ ସର୍ଭେ ହୋଇଥିଲା ଓ ଟ୍ରାକିଂ କରାଗଲା ସେଥିରୁ ସୂର୍ଯ୍ୟନଗର ଓ ବମିଖାଲ ଉଭୟ ଘଟଣାରେ ରାଜ୍ୟ ବାହାରୁ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ଏଥିରୁ ସ୍ପଷ୍ଟ ହେଲା ଯେ, ଭୁବନେଶ୍ୱରରେ ଗୋଷ୍ଠି ସଂକ୍ରମଣ ହୋଇନାହିଁ। ରାଜ୍ୟ ବାହାରେ ରହୁଥିବା ସମ୍ପର୍କିୟଙ୍କ ନିକଟରୁ ଉଭୟ ସଂକ୍ରମିତ ହୋଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି।

ମଧ୍ୟାହ୍ନରେ ମୁଖ୍ୟ ଶାସନ ସଚିବ ରାଜ୍ୟର କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସର୍ଭେ ସମୟରେ ଆମେ ବହୁତ ତଥ୍ୟ ପାଇଲୁ। ଗୋଷ୍ଠୀ ସଂକ୍ରମଣର ହୋଇଥିବା କୌଣସି ପ୍ରମାଣ ମିଳିନାହିଁ। ତେଣୁ ଗୋଷ୍ଠୀ ସଂକ୍ରମଣକୁ ନେଇ ଆମ ମନରେ ଯେଉଁ ଡର ଥିଲା ତାହା ଏବେ ନାହିଁ। ସଟ୍ ଡାଉନ୍ ପାଇଁ ଆମେ ଏଭଳି ସଫଳତା ପାଇଛୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଅନ୍ୟପଟେ ସଟ୍ ଡାଉନ୍ ସମୟରେ ୩ଟି ସହରରେ କାର୍ଯ୍ୟରତ ପୋଲିସ୍ କର୍ମୀଙ୍କ କାର୍ଯ୍ୟକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିଛନ୍ତି ।