Categories: ମେଟ୍ରୋ

ଭୁବନେଶ୍ୱରରେ କୋହଳ ହେବନି ବଜାର କଟକଣା

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଭୁବନେଶ୍ୱରରୁ ୧୧ ଦିନ ହେବ କେହି ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। କିନ୍ତୁ ଏବେବି ରାଜଧାନୀ ବିପଦ ଟଳି ନ ଥିବାରୁ ରେଡ୍‌ ଜୋନ୍‌ରେ ରହିଛି। ତେଣୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲୋକଙ୍କ ଜୀବନକୁ ପୁଣି ଥରେ ବିପଦରେ ପକାଇବାକୁ ଚାହୁଁନାହିଁ। ଇତିମଧ୍ୟରେ ଦୋକାନ, ବଜାରକୁ ସର୍ତ୍ତମୂଳକ ଭାବେ ଖୋଲିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଭୁବନେଶ୍ୱରରେ ବର୍ତ୍ତମାନ ଏହା କୋହଳ ହେବ ନାହିଁ। ରାଜଧାନୀବାସୀ ଏହି ନିଷ୍ପତ୍ତିରେ ସହଯୋଗ କରନ୍ତୁ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ରବିବାର କହିଛନ୍ତି।
ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ସମୟରେ ବ୍ୟବସାୟରେ କୋହଳ କଟକଣା ନେଇ ସମସ୍ତ ନିଷ୍ପତ୍ତି ରାଜ୍ୟର ମହାନଗର ନିଗମ କମିଶନର ଓ ଜିଲାପାଳମାନେ ନେବେ ବୋଲି ଶନିବାର ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ। ବହୁ କଷ୍ଟ ପରେ ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବାରେ ବିଏମ୍‌ସି ସକ୍ଷମ ହୋଇଛି। ତେଣୁ ଏହାକୁ ପରାସ୍ତ କରିବାକୁ ଭୁବନେଶ୍ୱରବାସୀଙ୍କ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ବିଏମ୍‌ସି କମିଶନର ଚୌଧାରୀ କହିଛନ୍ତି। ଭୁବନେଶ୍ୱରରେ କେଉଁ ଦୋକାନ ଖୋଲାଯିବ ଓ କେଉଁଟିକୁ ବନ୍ଦ ରଖାଯିବ ସେନେଇ ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ। ଦୋକାନ ବଜାର ଖୋଲିବାକୁ ଏବେ ଅନୁମତି ଦିଆଯିବ ନାହିଁ ବୋଲି ଏଥିରେ ନିଷ୍ପତ୍ତି ନିଆଯାଇଥିଲା।

କଟକଣା ପରେ ବି ଖୋଲିଲେ
ଭୁବନେଶ୍ୱରରେ କଟକଣା କୋହଳ ହେବନାହିଁ ବୋଲି ବିଏମ୍‌ସି ପକ୍ଷରୁ ଅପରାହ୍ନରେ କୁହାଯାଇଛି। ପୂର୍ବରୁ କୌଣସି ଘୋଷଣା ହୋଇ ନ ଥିଲେ ମଧ୍ୟ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୋବାଇଲ୍‌ ଓ ରିଚାର୍ଜ, ଚପଲ, ପାନ, ଜଳଖିଆ ଦୋକାନ ଆଦି ଖୋଲିଥିବା ଦେଖିବାକୁ ମିଳିଛି। ସାରା ଦେଶରେ କଟକଣା କୋହଳ ହୋଇଛି ସେଥିପାଇଁ ଦୋକାନ ବଜାର ଖୋଲିଛୁ ବୋଲି ବ୍ୟବସାୟୀମାନେ କହିଥିଲେ। ବିଏମ୍‌ସି ନିର୍ଦ୍ଦେଶକୁ ଏଠାରେ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି।

ଦୋକାନ ନ ଖୋଲିଲେ ଭୋକରେ ମରିବୁ
ଭୁବନେଶ୍ୱରରେ ଥିବା ପଞ୍ଜୀକୃତ ଉଠା ଦୋକାନୀମାନଙ୍କୁ ଘୋଷଣା କରାଯାଇଥିବା ସହାୟତା ରାଶି ଦିଆଯାଇନାହିଁ। ଦେଶରେ କଟକଣା କୋହଳ ହେବା ପରେ ବି ଭୁବନେଶ୍ୱରରେ ଦୋକାନ ଖୋଲିବାକୁ ବିଏମ୍‌ସି ରୋକ୍‌ ଲଗାଇଛି। ଯାହା କିଛି ଥିଲା ସରିବାକୁ ବସିଲାଣି, ଯଦି ଦୋକାନ ନ ଖୋଲିବୁ ତାହା ହେଲେ ଭୋକରେ ମରିଯିବୁ।
– ନିରଞ୍ଜନ ସାହୁ, ୟୁନିଟ୍‌ ୨ ମାର୍କେଟ କମ୍ପ୍ଲେକ୍ସ ଉଠା ଦୋକାନୀ
ଲୋକଙ୍କୁ ନିୟନ୍ତ୍ରଣ କରିହୋଇ ନ ଥାନ୍ତା
ସଂକ୍ରମଣରୁ ବର୍ତ୍ତିବା ପାଇଁ ଭୁବନେଶ୍ୱରବାସୀ ରୋକ୍‌କୁ ମାନିବା ଦରକାର। ଯଦି ବ୍ୟବସାୟ କରିବାରେ କଟକଣା କୋହଳ ହୋଇଥାନ୍ତା, ତେବେ ଲୋକଙ୍କୁ ନିୟନ୍ତ୍ରଣ କରି ହୋଇ ନ ଥାନ୍ତା। ସେମାନେ ସାମାଜିକ ଦୂରତ୍ୱ ମାନି ନ ଥାନ୍ତେ।
– ସୁମିତ୍ରା ପ୍ରଧାନ, ଲେଡିଜ୍‌ କର୍ନର ବ୍ୟବସାୟୀ, ରସୁଲଗଡ଼