ଭୁବନେଶ୍ୱରରୁ ସାଇକେଲ୍‌ରେ ଫେରିଲେ ୧୧ ଶ୍ରମିକ

ଠାକୁରମୁଣ୍ଡା,୫ା୫(ଡି.ଏନ୍‌.ଏ.)- ଭୁବନେଶ୍ୱର କିଟ୍‌ ନିକଟ ପଥରଗୋଡ଼ିଆରେ ରହି ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳର ୧୧ ଜଣ ଶ୍ରମିକ ସାଇକେଲ ଯୋଗେ ଆସି ଠାକୁରମୁଣ୍ଡାରେ ପହଞ୍ଚିଛନ୍ତି। ଲକ୍‌ଡାଉନ ଯୋଗୁ କାମଧନ୍ଦା ବନ୍ଦ ରହିବାରୁ ସେଠାରେ ରହିବା ଖାଇବାରେ ଅସୁବିଧା ହୋଇଥିଲା। ଫଳରେ ସେମାନେ ନିଜ ଗାଁକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ରବିବାର ସକାଳୁ ନିଜ ନିଜ ସାଇକେଲରେ ଅସବାବପତ୍ରକୁ ବାନ୍ଧି ୫ ଜଣ ମହିଳା ଓ ୬ ଜଣ ପୁରୁଷ ମୟୂରଭଞ୍ଜ ଅଭିମୁଖେ ବାହାରିଥିଲେ। ରାତିରେ ବାଟରେ ଗୋଟିଏ ଜାଗାରେ ରହିଥିଲେ। ସୋମବାର ମୋଟ ୧୮୩ କି.ମି ଦୂର ଅତିକ୍ରମ କରି ଠାକୁରମୁଣ୍ଡାଠାରେ ପହଞ୍ଚି ଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଦେଖି ଶୁଖିଲା ଖାଦ୍ୟ ଦେବା ପରେ ସାାରେ ସେମାନେ ନିଜ ଗନ୍ତବ୍ୟ ପଥରେ ଯାଇଥିଲେ। ଏହି ସମସ୍ତ ଶ୍ରମିକଙ୍କ ଘର କୁସୁମୀ ବ୍ଲକ ବୁଢ଼ାଧରା ଗ୍ରାମ,ଜାମଦା ବ୍ଲକର ମୁଗୁଦି ଓ ଚଟୁଣୀ ସାହି ଗ୍ରାମ,ବାଙ୍ଗିରିପୋଷି ବ୍ଲକ ଅଧୀନ ମୋହନପୁର ଏବଂ ବିଶୋଇ ବ୍ଲକ ଅନ୍ତର୍ଗତ ବିଶୋଇ ଗ୍ରାମରେ ବୋଲି ଜଣାପଡିଛି।