ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦେଲେ ସସ୍ମିତ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ପାଇଁ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ସୋମବାର ଗୃହରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ବିଜୁ ପଟ୍ଟନାୟକ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଯୋଗାଇ ଦେବାକୁ ଏକାଧିକ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ ଆଗ୍ରହ ପ୍ରକାଶ କରୁଛନ୍ତି। ହେଲେ ଏଠାରେ ବିମାନ ଅବତରଣର କିଛି କଟକଣା ରହିଥିବା କାରଣରୁ ବିମାନ କମ୍ପାନୀଗୁଡ଼ିକ ଉଡ଼ାଣ କରିପାରୁନାହାନ୍ତି। ତେଣୁ ଭୁବନେଶ୍ୱରରୁ ଦୁବାଇ ମଧ୍ୟରେ ବିମାନସେବା ଯୋଗାଇ ଦିଆଗଲେ ଏହା ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଯିବାଆସିବା କରିବାରେ ଯାତ୍ରୀମାନଙ୍କ ପାଇଁ ସହଜ ହେବ। ଯଦିଓ ଏବେ ଭୁବନେଶ୍ୱରରୁ ଏୟାର ଇଣ୍ଡିଆ ବିମାନ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକୁ ଭାୟା ଦିଲ୍ଲୀ ଦେଇ ଉଡ଼ାଣ କରୁଛି, ତାହା ଅଧିକ ବ୍ୟୟ ସାପେକ୍ଷ ଅଟେ। ତେଣୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଯୋଗାଇଦେବାକୁ କେନ୍ଦ୍ର ସରକାର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତୁରନ୍ତ ନିଷ୍ପତ୍ତି ନେବାକୁ ସସ୍ମିତ କହିଛନ୍ତି।