ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ: ୧୦ ଏମ୍‌ଓୟୁ ସ୍ବାକ୍ଷର

ଥିମ୍ଫୁ,୧୮ା୮(ପି.ଟି.): ଭୁଟାନ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ତାଙ୍କ ପ୍ରତିପକ୍ଷ ଲୋଟେ ଶେରିଙ୍ଗ୍‌ଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ୧୦ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଭାରତ ଓ ଭୁଟାନ ମଧ୍ୟରେ ସମ୍ପର୍କକୁ ନେଇ ଦୀର୍ଘସମୟ ଆଲୋଚନା ହୋଇଥିଲା। ଦୁଇଦେଶ ମଧ୍ୟରେ ଆର୍ଥତ୍କ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଯଥେଷ୍ଟ ସୁଯୋଗ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ମେ ମାସରେ ପୁନର୍ବାର ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ମୋଦିଙ୍କର ଏହା ପ୍ରଥମ ଭୁଟାନ ଗସ୍ତ। ଏହି ଅବସରରେ ସେ ସେଠାରେ ମଙ୍ଗଡେଛୁ ଜଳବିଦ୍ୟୁତ୍‌ ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ଭାରତ-ଭୁଟାନ ଜଳଶକ୍ତି ସହଯୋଗର ୫ ଦଶନ୍ଧିକୁ ସ୍ମରଣୀୟ କରିବା ପାଇଁ କେତେକ ଷ୍ଟାମ୍ପ୍‌ ଉନ୍ମୋଚନ କରିଥିଲେ। ଭୁଟାନ ଆସିଥିବାରୁ ସେ ବହୁତ ଖୁସି ବୋଲି ଐତିହାସିକ ସିମ୍‌ତୋଖା ଜୋଙ୍ଗ୍‌ଠାରେ ଭୁଟାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ମୋଦି ଏକ ମିଳିତ ବିବୃତିରେ କହିଛନ୍ତି। ମହାକାଶ ଗବେଷଣା, ବିମାନ ଚଳାଚଳ, ଆଇଟି, ଶକ୍ତି ଓ ଶିକ୍ଷା କ୍ଷେତ୍ରରେ ୧୦ଟି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ମୋଦି ଭୁଟାନରେ ରୁପେ କାର୍ଡ ଶୁଭାରମ୍ଭ କରିଛନ୍ତି। ଏହା ଡିଜିଟାଲ ପେମେଣ୍ଟ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ସମ୍ପର୍କକୁ ଆହୁରି ବୃଦ୍ଧି କରିବ ବୋଲି ମୋଦି କହିଛନ୍ତି।

Share