ଭୁଜାଲି, ମାଉଜର ଦେଖାଇ ଲୁଟ୍‌ ଘଟଣା : ୭ ଅଭିଯୁକ୍ତ ଗିରଫ

ଜୟପୁର,୫।୧୦(ନି.ପ୍ର.): କୋରାପୁଟ ଜିଲା କୋଟପାଡ଼ ପୋଲିସ ୭ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି। ଏ ନେଇ ଶନିବାର ଏସ୍‌ଡିପିଓ ହରେକୃଷ୍ଣ ମାଝି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ ତାରିଖ ରାତିରେ ଏକ ଡକାୟତି ଦଳ କୁସୁମୀ ଅଞ୍ଚଳର ଶାନ୍ତନୁ ଧଳଙ୍କ ଘରେପଶି ତାଙ୍କୁ ଭୁଜାଲି ଓ ମାଉଜର ଦେଖାଇ ଟଙ୍କା,ଗହଣା ଲୁଟିନେଇ ଚମ୍ପଟ ମାରିଥିଲେ। ଯାହାକୁ ନେଇ କୋଟପାଡ଼ ଥାନାରେ ଏକ ଡକାୟତି ମାମଲା ରୁଜୁ ହୋଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ସମ୍ପୃକ୍ତଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଚିହ୍ନଟ କରି ଶୁକ୍ରବାର ବିଲମ୍ବିତ ରାତିରେ ବୋରିଗୁମ୍ମାର ୩ ଏବଂ ନବରଙ୍ଗପୁର ଅଞ୍ଚଳରୁ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ଚାରି ମୋବାଇଲ, ମାଉଜର, ଭୁଜାଲି, ଗହଣା ଦୁଇ ତୋଳା ଏବଂ ୫ ହଜାର ୫ଶହ ନଗଦ ଟଙ୍କା ଜବତ କରିଛି। ଅନ୍ୟପକ୍ଷେ ଘଟଣାରେ ସଂପୃକ୍ତ ଥିବା ଆଉ ଦୁଇଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ନାମରେ ଜିଲା ସମେତ ଅନ୍ୟ ଜିଲାର ଅନେକ ଡକାୟତି ମାମଲା ରହିଥିବା ପୋଲିସ କହିଛି।