ଭୀମକୁଣ୍ଡ ସ୍ବତୀ ଘାଟରେ ଦାମୋଦର ମେଳା

ଠାକୁରମୁଣ୍ଡା,୨୧ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ନିକଟରେ ଥିବା ବୈତରଣୀ ନଦୀର ସ୍ବତୀ ଘାଟରେ ସୋମବାର ସାନ୍ତାଳ ସମ୍ପ୍ରଦାୟର ଦାମୋଦର ମେଳା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମେଳାରେ ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ୱ ସାନ୍ତାଳ ସମ୍ପ୍ରଦାୟର ଲୋକେ ଉପସ୍ଥିତ ରହି ନିଜନିଜ ପରିବାରର ମୃତ ସଦସ୍ୟଙ୍କ ଅସ୍ଥିକୁ ବିସର୍ଜନ କରିଥିଲେ। ସାମୂହିକ ଏହି ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମରେ ମୋଟ ୫୧୪ ଅସ୍ଥି ବିସର୍ଜନ ହୋଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, କେନ୍ଦୁଝର ଏମପି ଚନ୍ଦ୍ରାଣୀ ମୁର୍ମୁ, କରଞ୍ଜିଆ ବିଧାୟିକା ବସନ୍ତୀ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇଥିଲେ। ମେଳା ଆୟୋଜନ କମିଟିର ସଭାପତି ଦଶରଥ ସୋରେନ, ସମ୍ପାଦକ ଭାଗୀରଥି ସୋରେନ, ସହ-ସମ୍ପାଦକ ବସନ୍ତ ସୋରେନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।