ଭିଭିଏସ୍‌ ଲକ୍ଷ୍ମଣଙ୍କ ଟୁଇଟ୍‌ରେ ଭୁବନେଶ୍ୱରର କମଳଲୋଚନଙ୍କ କଥା: ଜରି ଗୋଟାଳି ସତ୍ତ୍ୱେ ବୁଲା କୁକୁରଙ୍କ ପେଟ ପୋଷୁଥିବାରୁ କଲେ ପ୍ରଶଂସା

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜଧାନୀରେ ବୁଲା କୁକୁରଙ୍କୁ ଖାଇବାକୁ ଦେଇ ଚର୍ଚ୍ଚାକୁ ଆସିଛନ୍ତି କମଳଲୋଚନ ବଳିୟାରସିଂ। ଭାରତର ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଗୁରୁବାର କମଳଙ୍କୁ ନେଇ ଏକ ଟୁଇଟ୍‌ କରିଛନ୍ତି।
କମଳ ହେଉଛନ୍ତି ଜଣେ ଜରି ଗୋଟାଳି। ବିଭିନ୍ନ ସ୍ଥାନ ବୁଲି ପ୍ଲାଷ୍ଟିକ ଗୋଟାଇ ପେଟ ପୋଷିଥାନ୍ତି। ହେଲେ ନିଜକୁ ଖାଇବାକୁ ମିଳିବ କି ନା ଜାଣି ନ ଥିବା କମଳ କିନ୍ତୁ ଆଖପାଖରେ ରହୁଥିବା ବୁଲାକୁକୁରଙ୍କ ପାଇଁ ଖାଇବା ଯୋଗାଡ଼ କରିବାକୁ ଭୁଲନ୍ତି ନାହିଁ। ରାଜଧାନୀର ଚାକଚକ୍ୟ ଭିତରେ ହଜିଯାଉଥିବା ଏଭଳି ମାନବିକତାର ଉଦାହରଣକୁ ନେଇ ଭିଭିଏସ୍‌ଙ୍କ ଟୁଇଟ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 

ଟୁଇଟ୍‌ରେ ଭିଭିଏସ୍‌ ଲେଖିଛନ୍ତି, ଭୁବନେଶ୍ୱରର କମଳଲୋଚନ ବଳିଆରସିଂହ ପ୍ରତିଦିନ ବୁଲା କୁକୁରମାନଙ୍କୁ ଖାଇବା ଦେଇଥାନ୍ତି। ସେ ସାରା ଦିନ ଦାନାଟିଏ ପେଟକୁ ନେଇପାରୁ ନ ଥିଲେ ସୁଦ୍ଧା ତାଙ୍କ ଚାରିପାଖରେ ଥିବା କୁକୁରମାନଙ୍କୁ ପ୍ରତିଦିନ ସେ ଖାଇବାକୁ ଦେବାକୁ ଭୁଲନ୍ତି ନାହିଁ। ସେ ଜଣେ ଜରି ଗୋଟାଳି। ବିନା ଅନୁଦାନ ଏବଂ ଲାଳସାରେ ସେ ଏପରି କାର୍ଯ୍ୟ କରନ୍ତି ବୋଲି ଲକ୍ଷ୍ମଣ କହିଛନ୍ତି।