ଭିତ୍ତିଭୂମି ଶେୟାର କରିପାରିବେ ଉଚ୍ଚ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୧୬।୧(ବ୍ୟୁରୋ):କେନ୍ଦ୍ର ସରକାର ଉଚ୍ଚ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରୁତ୍ୱ ଦେଉଥିବାବେଳେ ଦେଶର ଅଧିକାଂଶ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏବେ ବି ଆବଶ୍ୟକ ଭିତ୍ତିଭୂମି ନାହିଁ। ଏହାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯେଉଁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମି ସୁବିଧା ରହିଛି, ସେମାନେ ଅନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ତାହା ବ୍ୟବହାର କରିବାକୁ ଅନୁମତି ଦେଇପାରିବେ। ଏହାଦ୍ବାରା ୟୁଜି-ପିଜି ଛାତ୍ରୀଛାତ୍ରଙ୍କ ସହ ଗବେଷକମାନେ ଉପକୃତ ହେବେ। ଏ ନେଇ ୟୁଜିସି ସଚିବ ପ୍ରଫେସର ରାଜନୀଶ୍‌ ଜୈନ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି, ଗବେଷଣା ଏବଂ ଉନ୍ନୟନ କାର୍ଯ୍ୟରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଭିତ୍ତିଭୂମି ଓ ସମ୍ବଳ ଉପରେ ୟୁଜିସି ଗୁରୁତ୍ୱ ଦେଉଛି। ତେବେ ଭିତ୍ତିଭୂମି ସୁବିଧାଗୁଡ଼ିକର ତଦାରଖ ପାଇଁ ନିରନ୍ତର ପାଣ୍ଠିର ଆବଶ୍ୟକତା ରହିଛି। ତେଣୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଅନ୍ୟ ଶିକ୍ଷାନୁଷ୍ଠାନ ସହ ଭିତ୍ତିଭୂମି ଶେୟାର କରିବା ଦରକାର। କିଛି ଅର୍ଥ ବିନିୟମରେ ଉପଲବ୍ଧ ଥିବା ସମ୍ବଳଗୁଡ଼ିକର ସର୍ବୋତ୍ତମ ଉପଯୋଗ କରାଯାଇପାରିବ। ଏହି ଅତିରିକ୍ତ ଅର୍ଥ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନିଜର ସମ୍ବଳଗୁଡ଼ିକୁ ଭଲ ରଖିବାରେ ସହାୟକ ହେବ। ଏଥିପାଇଁ ପାଠାଗାର, ପରୀକ୍ଷାଗାର, ଉପକରଣ ଭଳି ବିଭିନ୍ନ ସମ୍ବଳଗୁଡ଼ିକୁ ଖାଲି ସମୟରେ ଅନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଓ ଗବେଷକଙ୍କ ବ୍ୟବହାର ଲାଗି ଅନୁମତି ଦେବାକୁ ୟୁଜିସି ପରାମର୍ଶ ଦେଇଛି। ଏନେଇ ୟୁଜିସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।