ଭିତୋଲ ଗ୍ରୁପ ମୁଖ୍ୟଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା:ଭାରତ-ଓପେକ୍‌ ଭାଗୀଦାରିକୁ ମଜଭୁତ୍‌ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ):ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିତୋଲ ଗ୍ରୁପର ମୁଖ୍ୟ ମାଇକ୍‌ ମିଲ୍ଲରଙ୍କୁ ସାକ୍ଷାତ୍‌ କରିଛନ୍ତି। ଭିତୋଲ ଗ୍ରୁପ କମ୍ପାନୀକୁ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ କରି ଭାରତର ବିକାଶ ଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି। ସେହିପରି ଓପେକର ସାଧାରଣ ସଚିବ ମହମ୍ମଦ ବାରକିଣ୍ଡୋଙ୍କୁ ଭେଟି ଭାରତ-ଓପେକ୍‌ ଭାଗୀଦାରିକୁ ମଜଭୂତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭିତୋଲ ଗ୍ରୁପର ମୁଖ୍ୟଙ୍କ ସାକ୍ଷାତ କାଳରେ ପଲିସି ଗୁଡ଼ିକରେ ସଂସ୍କାର ଅଣାଯିବା କାରଣରୁ ଭାରତର ଅନ୍ବେଷଣ ଓ ଉପତ୍ାଦନ କ୍ଷେତ୍ର ପୁଞ୍ଜିନିବେଶ କରିବା ପାଇଁ ଉପଯୋଗୀ ସ୍ଥାନ ହୋଇପାରିଛି। ନିକଟରେ କର୍ପୋରେଟ୍‌ ଟିକସ ହ୍ରାସ, ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ ତଥା ବ୍ୟବସାୟ କରିବାରେ ସହଜ ଏବଂ ଇନ୍ଧନ ପ୍ରସଙ୍ଗ ଉପରେ ଧର୍ମେନ୍ଦ୍ର ଚର୍ଚ୍ଚା କରିଛନ୍ତି। ସେହିପରି ଓପେକ୍‌ର ସାଧାରଣ ସଚିବ ମହମ୍ମଦ ବାରକିଣ୍ଡୋଙ୍କ ସହ ଧର୍ମେନ୍ଦ୍ରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି। ଉଭୟେ ସାମ୍ପ୍ରତିକ ତୈଳ ଏବଂ ଗ୍ୟାସ ମାର୍କେଟର ବିକାଶ ତଥା ବିଶେଷଭାବେ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦରରେ ଅସ୍ଥିରତା ଏବଂ ଅଶୋଧିତ ତୈଳ ଯୋଗାଣ ଉପରେ ଆଲୋଚନା କରିଛନ୍ତି। ଦୁଇ ମନ୍ତ୍ରୀ ଭାରତ-ଓପେକ୍‌ ଭାଗୀଦାରିକୁ ଆଗାମୀ ଦିନରେ ମଜଭୂତ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଊର୍ଜାର ସୁରକ୍ଷା ଓ ଊର୍ଜା ଦାରିଦ୍ର୍ୟର ସମାଧାନ ପାଇଁ ମିଶି କାମ କରିବା ପାଇଁ ସମ୍ମତି ଜଣାଇଛନ୍ତି। ଏହି ଗସ୍ତକାଳରେ ଧର୍ମେନ୍ଦ୍ର ସୋମବାର ଆବୁଧାବୀ ଅନ୍ତର୍ଜାତୀୟ ପେଟ୍ରୋଲିୟମ ପ୍ରଦର୍ଶନୀ ଓ ସମ୍ମିଳନୀ (ଆଡିପେକ୍‌-୨୦୧୯)ରେ ଯୋଗଦେଇଥିଲେ।