Categories: ଜାତୀୟ

ଭିଡ଼ହିଂସା ରୋକିବାକୁ ଆଇନ ଆଣ

ହାଇଦ୍ରାବାଦ,୭ା୭: ଦେଶରେ ଭିଡ଼ହିଂସା ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ଆଇନ ଆଣିବାକୁ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଆସାଦୁଦ୍ଦିନ ଓଓ୍ବାଇସି ଦାବି କରିଛନ୍ତି। ଚିଠା ବିଧେୟକ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେବା ଇତିମଧ୍ୟରେ ବର୍ଷେ ଅତିକ୍ରାନ୍ତ ହୋଇଥିଲେ ହେଁ ନରେନ୍ଦ୍ର ମୋଦି ସରକାର ଏପର୍ଯ୍ୟନ୍ତ କିଛି କରିନାହାନ୍ତି। ଭିଡ଼ହିଂସାରେ ସମ୍ପୃକ୍ତ ବ୍ୟକ୍ତି ଆତଙ୍କବାଦୀ ବୋଲି ଓଓ୍ବାଇସି କହିବା ସହ ମୁସଲମାନମାନଙ୍କ ପ୍ରତି ଘୃଣାଭାବର ଏହା ପ୍ରତିଫଳନ ବୋଲି ଅଭିଯୋଗ କରିଛନ୍ତି। ଭିଡ଼ହିଂସା ରୋକିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବାକୁ ଓଓ୍ବାଇସି ଆହ୍ବାନ ଦେଇଛନ୍ତି।
ମୁସଲମାନମାନଙ୍କ ଆସ୍ଥା ଜିତିଥିବା କଥା ପ୍ରଧାନମନ୍ତ୍ରୀ ବାରମ୍ବାର କହିଆସୁଥିବାବେଳେ ଭିଡ଼ହିଂସା ବିରୋଧରେ ଆଇନ ଆଣିବା ଲାଗି କିଏ ତାଙ୍କୁ ବାରଣ କରୁଛି ବୋଲି ଏଆଇଏମ୍‌ଆଇଏମ୍‌ ନେତା ପ୍ରଶ୍ନ କରିଛନ୍ତି। ଝାଡ଼ଖଣ୍ଡରେ ତବରେଜ୍‌ ଅନ୍‌ସାରୀଙ୍କୁ ଲୋକେ ପିଟି ହତ୍ୟା କରିବା ଘଟଣା ବିରୋଧରେ ଏକ ବିକ୍ଷୋଭ ସମାବେଶକୁ ଉଦ୍‌ବୋଧନ ଦେଇ ଓଓ୍ବାଇସି କହିଥିଲେ,
ଗତ ୫ ବର୍ଷ ମଧ୍ୟରେ ଭିଡ଼ହିଂସାର ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ସେଥିରୁ ଅଧିକାଂଶ ମୁସଲମାନ। ଗତ ମେ ୨୩ରେ ଭାଜପା ଲୋକ ସଭା ନିର୍ବାଚନ ଜିତି ଦ୍ୱିତୀୟ ଥର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ୮ ଜଣ ଭିଡ଼ହିଂସାରେ ପ୍ରାଣ ହରାଇଲେଣି। ଭାଜପା କ୍ଷମତାରେ ଥିବା ରାଜ୍ୟରେ ଗତ ସାଢ଼େ ୪ ବର୍ଷରେ ୧୮ଜଣଙ୍କ ଜୀବନ ଯାଇଥିବାବେଳେ ସେଥିରୁ ୧୧ ଜଣ ହେଉଛନ୍ତି ମୁସଲମାନ। ତବରେଜ ଅନ୍‌ସାରୀଙ୍କୁ ବାଇକ ଚୋରି ଅଭିଯୋଗରେ ଲୋକେ ଏକ ଖୁଣ୍ଟରେ ବାନ୍ଧି ରାତି ସାରା ନିସ୍ତୁକ ପିଟିଥିଲେ। ପୋଲିସ, ଡାକ୍ତର ଓ ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ ତାଙ୍କ ପ୍ରତି ଉପଯୁକ୍ତ ନ୍ୟାୟ ପ୍ରଦାନ କରି ନଥିଲେ। ଉପଯୁକ୍ତ ଚିକିତ୍ସା ସୁବିଧା ନ ମିଳିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଯେଉଁମାନେ ତବରେଜଙ୍କୁ ହତ୍ୟାକଲେ ସେମାନେ ଭାରତର ଶତ୍ରୁ ଓ ଆତଙ୍କବାଦୀ। ଆଇଏସ୍‌ ଆତଙ୍କବାଦୀ ଓ ସେମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ବୋଲି ଓଓ୍ବାଇସି କହିଛନ୍ତି।

Share