Categories: ଖେଳ

ଭିଟ୍ଟୋରୀଙ୍କ ବଦାନ୍ୟତା: ନିଜ ପାଉଣାର କିଛି ଅଂଶ ଦାନ ଦେବାକୁ ବିସିବିକୁ ପ୍ରସ୍ତାବ ଦେଲେ

ଢାକା,୩୧।୫ (ପି.ଟି.): କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ତଥା ବାଂଲାଦେଶ ସ୍ପିନ୍‌ ବୋଲିଂ କୋଚ୍‌ ଡାନିଏଲ ଭିଟ୍ଟୋରୀ ଏକ ଦୃଷ୍ଠାନ୍ତମୂଲକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)କୁ ଏକ ନିଆରା ପ୍ରସ୍ତାବ ଦେଇଛନ୍ତି। କମ୍‌ ଦରମା ପାଉଥିବା ବୋର୍ଡର କେତେକ କର୍ମଚାରୀଙ୍କୁ ନିଜ ପାଉଣାର କିଛି ଅଂଶ ଦାନରେ ଦେବା ପାଇଁ ସେ ବିସିବିକୁ ପ୍ରସ୍ତାବ ଦେଇଛନ୍ତି।
ଆନୁଷ୍ଠାନିକ ଭାବେ ଭିଟ୍ଟୋରୀ ନିଜ ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି ବୋଲି ବିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି। ନିଜ ଦରମାର କିଛି ଅଂଶ କମ୍‌ ଅର୍ଥ ଉପାର୍ଜନ କରୁଥିବା କର୍ମଚାରୀମାନଙ୍କୁ ଦେବାକୁ ଉଚିତ ମଣୁଛି ବୋଲି ଭିଟ୍ଟୋରୀ କହିଛନ୍ତି। ତେବେ ସେ ଦରମାର କେତେ ପରିମାଣ ଦେବାକୁ ଚାହୁଁଛନ୍ତି ସେ ନେଇ ବିସିବି ତରଫରୁ କିଛି କୁହାଯାଇନାହିଁ। ଉଲ୍ଲେଖଥାଉ କି, ଭିଟ୍ଟୋରୀ ବିସିବିର କୋଚିଂ ଷ୍ଟାଫ୍‌ମାନଙ୍କ ମଧ୍ୟରୁ ସର୍ବାଧିକ ଅର୍ଥ ଆୟ କରିଥାନ୍ତି। ସେ ୨,୫୦,୦୦୦ ଆମେରିକୀୟ ଡଲାର ବିନିମୟରେ ଏକ ୧୦୦ ଦିନିଆ ଚୁକ୍ତି କରିଛନ୍ତି। ଏହି ଚୁକ୍ତି ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ମହାମାରୀ ଲଢେଇରେ ମଧ୍ୟ ବିସିବି ସାମିଲ ହୋଇଛି। ବିସିବି ମଧ୍ୟ ୪,୨୮,୦୦୦ ଆମେରିକୀୟ ଡଲାର ଦାନ କରିଛି। ଦେଶର କ୍ରିକେଟରମାନେ ଅର୍ଥ ଦାନ କରିଛନ୍ତି। କୋଭିଡ-୧୯ ମହାମାରୀ କାରଣ ପାଇଁ ସାରା ବିଶ୍ୱରେ ଏକାଧିକ କ୍ରୀଡ଼ା ମହାକୁମ୍ଭକୁ ବାତିଲ କରାଯାଇଛି କିମ୍ବା ସ୍ଥଗିତ ରଖାଯାଇଛି।

Share