ଭିଜିଲାନ୍ସ ଜାଲରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି

କେନ୍ଦୁଝର,୧୯।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣି ଲାଞ୍ଚ ନେଉଥିବାବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଇନକ୍ରିମେଣ୍ଟ କରାଇଦେବା ପାଇଁ କହି ଉକ୍ତ ବ୍ଲକ ଅଧୀନ ଭଗାନଇ ୟୁପି ସ୍କୁଲର ପ୍ରଧାନଶିକ୍ଷକ ମୁକୁନ୍ଦ ସାହୁଙ୍କୁ ୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ମଧ୍ୟାହ୍ନରେ ଲାଞ୍ଚ ନେଉଥିବାବେଳେ ପୂର୍ବ ଯୋଜନାନୁଯାୟୀ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା। ତାଙ୍କୁ ଅଟକ ରଖାଯାଇ ଅଧିକ ପଚରାଉଚରା ଚାଲିଥିବା ଭିଜିଲାନ୍ସ ଇନ୍ସପେକ୍ଟର ହେମାମାଳିନୀ ନାଏକ କହିଛନ୍ତି ।