ଭିଜିଲାନ୍ସ ଜାଲରେ ଫରେଷ୍ଟର

ଭବାନୀପାଟଣା,୨୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମ.ରାମପୁର ରେଞ୍ଜ ମୋହନଗିରି ଫରେଷ୍ଟର ରୁଦ୍ରପ୍ରସାଦ ଗହୀର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବିଭାଗର ଜଣେ ପୂର୍ବତନ କର୍ମଚାରୀଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରିବା ପାଇଁ ରୁଦ୍ରପ୍ରସାଦ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ପ୍ରକାଶ ଯେ, ସୁଧନ ଭୋଇ ନାମକ ଜଣେ ବ୍ୟକ୍ତି ମ.ରାମପୁର ରେଞ୍ଜ ଆଇଟିଇସିଏସ୍‌ ସ୍କ୍ବାର୍ଡଭାବେ ଦୀର୍ଘ ଦିନ ଧରି ଚୁକ୍ତି ଭିତ୍ତିରେ ନିୟୋଜନ ଥିଲେ। ତାଙ୍କୁ କେଗାଁକୁ ବଦଳି କରାଯିବାର କିଛିଦିନ ପରେ ସେ ଚାକିରିରୁ ବାହାର କରାଯାଇଥିଲା। ପୁଣିଥରେ ତାଙ୍କୁ ଚାକିରିରେ ରଖାଇଦେବା କହି ଫରେଷ୍ଟର ଗହୀର ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସୁଧନ ଭିଜିଲାନ୍ସର ସହାୟତା ଲୋଡିଥିଲେ। ସେ ଫରେଷ୍ଟର ଗହୀରଙ୍କୁ ତାଙ୍କ ଭଡାଘରେ ୧୦ ହଜାର ଟଙ୍କା ଦେଉଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରି ଫରେଷ୍ଟରଙ୍କୁ ଗିରଫ କରିବା ସହ ବିଭିନ୍ନ ସ୍ଥାନରେ ତାଙ୍କ ମାଲିକାନାରେ ଥିବା ସମ୍ପତ୍ତି ଉପରେ ବିଭାଗ ତଦନ୍ତ ଜାରି ରଖିଛି। ଉକ୍ତ ଟିମ୍‌ରେ ଭିଜିଲାନ୍ସ ଡିଏସ୍‌ପି ମହାନନ୍ଦଙ୍କ ସହ ଇନ୍ସପେକ୍ଟର କଲାବତୀ ବାଗ, ସନ୍ତୋଷ ମହାନ୍ତି, ଷ୍ଟେନୋ ଶିବପ୍ରସାହ ପ୍ରଧାନ, କନଷ୍ଟେବଳ ପ୍ରକାଶ ଚନ୍ଦ୍ର ବେହେରା ସାମିଲ ଥିଲେ।