ଭିଜିଲାନ୍ସ ଜାଲରେ ଉଡ୍ରା ପିଇଓ

ଭଞ୍ଜନଗର,୯।୧୧(ଡି.ଏନ.ଏ)- ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଉଡ୍ରା ପିଇଓ ମନୋଜ କୁମାର ସାହୁ ସୋମବାର ଅପରାହ୍ନରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ପଞ୍ଚାୟତର ଅସ୍ଥାୟୀ ପିଅନ ପାଣୁ ଚନ୍ଦ୍ର ସେଠୀଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଅଫିସ ପକ୍ଷରୁ ନଂ.୩୪।୧୯ରେ ଏକ ମାମଲା ରୁଜୁ କରାଯାଇଛି। ଏଥିସହ ଅଧିକ ପଚରା ଉଚରା ପାଇଁ ମନୋଜଙ୍କୁ ଭିଜିଲାନ୍ସ ଟିମ୍‌ ବ୍ରହ୍ମପୁର ନେଇଛି।
ପ୍ରକାଶ ଯେ, ପାଣୁ ପଞ୍ଚାୟତର ଅସ୍ଥାୟୀ ପିଅନ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଦରମା ବୃଦ୍ଧି କରିବାକୁହେଲେ ପଞ୍ଚାୟତ ବୈଠକରେ ଅନୁମୋଦନ ଦରକାର। ପଞ୍ଚାୟତ ବୈଠକରେ ବର୍ଦ୍ଧିତ ଦରମା ଉପସ୍ଥାପନ କରିବାକୁ ପାଣୁଙ୍କୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ମନୋଜ। ଏନେଇ ପାଣୁ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କୁ ଭେଟି ଜଣାଇଥିଲେ। ଏହାପରେ ସୋମବାର ପୂର୍ବଯୋଜନା ପ୍ରକାରେ ପାଣୁ ପଞ୍ଚାୟତ କାର୍ଯ୍ୟାଳୟରେ ମନୋଜଙ୍କୁ ଲାଞ୍ଚ ଟଙ୍କା ଦେଇଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ମନୋଜଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ କେମିକାଲ ବୋଳା ଟଙ୍କା ଜବତ କରିଥିଲେ। ବିଗତ କିଛିମାସ ହେବ ଭିଜିଲାନ୍ସ ହାବୁଡ଼ରେ ଭଞ୍ଜନଗର, ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ବ୍ଲକର ଏକାଧିକ କର୍ମଚାରୀ ଧରାପଡ଼ିଛନ୍ତି। ତଥାପି ଲାଞ୍ଚ କାରବାର କମୁନାହିଁ।